ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’। ସ୍ଥାନୀୟ ଜନତା ମଇଦାନରେ ଏହି ସମ୍ମିଳନୀ ପାଇଁ ସବୁ ପ୍ରସ୍ତୁତି ଶେଷ ହେବାକୁ ବସିଲାଣି। ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ପାଇଁ ସମ୍ମିଳନୀ ସ୍ଥଳୀକୁ ସୁନ୍ଦର ଭାବେ ସଜ୍ଜାଯିବା ସହ ଆଲୋକୀକରଣ କରାଯାଇଛି। ଏଠାରେ ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିବ ଓଡ଼ିଶା ଥିମ୍ ପାଭିଲିୟନ।
ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ପାଭିଲିୟନରେ ଓଡ଼ିଶାର ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ। ୪୦୦ ବର୍ଗ ମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ଏହି ପାଭିଲିୟନର ନାମ ରହିଛି ‘ଗ୍ଲୋରିୟସ ଓଡ଼ିଶା: ପ୍ରାଚୀନରୁ ଆଧୁନିକ’।
ପାଭିଲିୟନରେ ପାରମ୍ପରିକ କାରିଗରୀ ଏବଂ ଆଧୁନିକ ଡିଜାଇନର ଏକ ସନ୍ତୁଳିତ ଏକୀକରଣ ଦେଖିବାକୁ ମିଳିବ। ଏହାର ଗଠନ ଶୈଳୀରେ ଓଡ଼ିଶାର ପରମ୍ପରା, ସଂସ୍କୃତି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ରାଜ୍ୟର ବୈଶିଷ୍ଟ୍ୟର ଛାପ ଦେଖିବାକୁ ମିଳିବ। ଏହାକୁ ପଟ୍ଟଚିତ୍ର, ଚାନ୍ଦୁଆ କାର୍ଯ୍ୟ ଏବଂ ଆଦିବାସୀ ଚିତ୍ରକଳାରେ ସୁସଜ୍ଜିତ କରାଯାଇଛି, ଯାହା ପରିଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଇଛି।
ଓଡ଼ିଶା ଥିମ୍ ପାଭିଲିୟନ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜିଗୁଡ଼ିକର ପ୍ରଦର୍ଶନ କରାଯିବ। ଏହାର ବାହାର ପଟ କାନ୍ଥରେ ଓଡ଼ିଶାର ଅନନ୍ୟ କଳା, ହସ୍ତତନ୍ତ, ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ହସ୍ତଶିଳ୍ପ, ଆଦିବାସୀ ସମ୍ପ୍ରଦାୟର ଅବଦାନ ସମେତ ଓଡ଼ିଶାର ସାଂସ୍କୃତିକ ଉତ୍ତରାଧିକାରକୁ ଦର୍ଶାଉଥିବା ଭିଜୁଆଲ୍ କାହାଣୀଗୁଡ଼ିକ ଉପସ୍ଥାପିତ ହେବ।
ପାଭିଲିୟନର ପ୍ରବେଶ ଦ୍ଵାରରେ ବଡ଼ ଆକାରର ଥ୍ରୀଡି କଳାକୃତି ରହିବ। ଏଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ବିସ୍ତୃତ ପ୍ରତିକୃତି ସ୍ଥାନ ପାଇବ। ଏହାସହ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ତଥା ବିକାଶୋନ୍ମୁଖୀ ଶିଳ୍ପର ସୁଯୋଗ ପୃଷ୍ଠଭୂମି ଭାବେ ଓଡ଼ିଶାର ବିଷୟବସ୍ତୁ ପ୍ରଦର୍ଶନ କରାଯିବ।
କେବଳ ମନୋରଞ୍ଜନ ନୁହେଁ, ଭାରତ ବାହାରେ ରହୁଥିବା ପ୍ରବାସୀ ଓ ବିଭିନ୍ନ ଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କୁ ଓଡ଼ିଶାର ସଂସ୍କୃତି ସହ ଯୋଡ଼ିବାରେ ଓଡ଼ିଶା ଥିମ୍ ପାଭିଲିୟନ ଏକ ଉତ୍ତମ ମାଧ୍ୟମ ହେବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।
Tags: #PravasiBharatiyaDivas #OdishaThemePavilion #ArtandCulture #Bhubaneswar