ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରତିଦିନ ଲୋକଙ୍କ ମନରେ ଛାପ ଛାଡ଼ୁଛି। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଦୃଶ୍ୟାଭିନୟ ସମସ୍ତଙ୍କୁ ବାନ୍ଧି ରଖୁଛି। ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକ ବରଗଡ଼ ଆସୁଛନ୍ତି। 

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଙ୍ଗଳବାର ପଞ୍ଚମ ଦିନରେ ପହଞ୍ଚିଛି। ଆନନ୍ଦରେ ଉଛୁଳୁଛି ଗୋପଦାଣ୍ଡ। କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାରେ ବିଭୋର ନଗରବାସୀ। ଭାବ ଓ ଭକ୍ତିରସରେ ବରଗଡ଼ ସହରର ଅମ୍ବାପାଲି କିଛି ଦିନ ପାଇଁ ପାଲଟିଯାଇଛି ଦ୍ଵାପର ଯୁଗର ଗୋପପୁର। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି।

କୃଷ୍ଣ-ବଳରାମଙ୍କୁ ସ୍ନେହ ଆଦରରେ ସାଉଁଟି ନେଉଛନ୍ତି ମହିଳାମାନେ। କିଏ ଭକ୍ତିରେ ପାଦ ଧୋଇ ଦେଉଛି ତ କିଏ ଆନନ୍ଦରେ ଗଦ୍ ଗଦ୍ ହୋଇ ବନ୍ଦାପନା କରୁଛି। କିଏ ପୁଣି ବାଳକୃଷ୍ଣଙ୍କୁ ସରାଗରେ ଲହୁଣୀ ଚଟେଇ ଦେଉଛି। କେବଳ ନନ୍ଦ-ଯଶୋଦା ନୁହନ୍ତି, କାହ୍ନାକୁ ପାଇ ଗୋପପୁରର ଘରେ ଘରେ ଖୁସିର ସୀମା ନାହିଁ। ବରଗଡ଼ ଧନୁଯାତ୍ରାର ଏହି ନିଆରା ଦୃଶ୍ୟ, ଗୋଟିଏ ନାଟକକୁ ଯେପରି ବାସ୍ତବ ରୂପ ଦେଇଛି!

ଗୋଟିଏ ପଟେ କୃଷ୍ଣଙ୍କ ବାଲ୍ୟ ଚପଳତା, ଅନ୍ୟପଟେ ମାଆ ଯଶୋଦାଙ୍କ ଆକଟ। ନନ୍ଦରାଜାଙ୍କ ଘରେ ହାଣ୍ଡି ହାଣ୍ଡି ସର-ଲବଣୀ ଥିଲେ ବି ଗୋପ ବାଳକଙ୍କ ସହ ମିଶି ଚୋରେଇ ଖାଉଥିଲେ କାହ୍ନା। ପୁଣି କେତେବେଳେ ଗୋପୀମାନଙ୍କୁ ନାନାପ୍ରକାରେ ହଇରାଣ କରୁଥିଲେ ନଟିଆ ନାଗର। ଶ୍ରୀକୃଷ୍ଣ ଓ ବଳରାମଙ୍କ ଅପୂର୍ବ ଲୀଳାଖେଳାରେ ମୁଖରିତ ହୋଇ ଉଠିଛି ସମଗ୍ର ଗୋପପୁର।

ମନ ମୋହିଲା ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ଦୃଶ୍ୟ

ଅନ୍ୟପଟେ ସମସ୍ତ ରାକ୍ଷସ-ରାକ୍ଷସୀଙ୍କ ନିହତ ହେବା ଖବର ଶୁଣି ବିଚଳିତ ହୋଇଯାଇଥିବା କଂସ କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ପୁଣି ଚକ୍ରାନ୍ତ କରିଥିଲେ। ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା ପାଇଁ ଲକ୍ଷେଭାର ପଦ୍ମ ପଠାଇବା ଲାଗି କଂସ ନନ୍ଦରାଜାଙ୍କୁ ଚିଟାଉ ପଠାଇଥିଲେ।

ଲକ୍ଷେଭାର ପଦ୍ମ ତୋଳିବା ପାଇଁ ଗୋପାଳ ବାଳକଙ୍କ ସହ କୃଷ୍ଣ-ବଳରାମ କାଳିନ୍ଦୀ ହ୍ରଦକୁ ଆସିବାବେଳେ କାଳୀୟ ନାଗ ଦଂଶନ କରିବାକୁ ଉଦ୍ୟମ କରିଥିଲା। କାଳୀୟ ନାଗର ମସ୍ତକ ଉପରେ ନୃତ୍ୟ କରି ଦର୍ପଦଳନ କରିବା ସହ ହ୍ରଦକୁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ।

ମହାରାଜ କଂସଙ୍କ ନଗର ଭ୍ରମଣ

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ମହାରାଜ କଂସଙ୍କ ନଗର ଭ୍ରମଣ। ପାରିଷଦବର୍ଗଙ୍କୁ ସାଙ୍ଗରେ ନେଇ ହାତୀପିଠିରେ ବସି ନଗର ଭ୍ରମଣର ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କ ଭିତରେ ବିଶେଷ ଉତ୍ସାହ ଭରି ରହିଥାଏ। ଏଭଳି ଚିତ୍ର ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା। ମହାରାଜ କଂସ ନଗର ଭ୍ରମଣ କରୁଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।  

ମହାରାଜ କଂସ ଗାନ୍ଧୀ ଛକ, ଘରୋଇ ବସଷ୍ଟାଣ୍ଡ, ବ୍ରହ୍ମଚାରୀ ଓ କେନାଲ ରୋଡ୍ ଦେଇ ରଙ୍ଗମହଲକୁ ଆସିଥିଲେ। ବ୍ରହ୍ମଚାରୀଠାରେ ମଥୁରା ନରେଶ କଂସଙ୍କ ପାଇଁ ଏକ ଭବ୍ୟ ନୃତ୍ୟ, ସଙ୍ଗୀତ ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଲୋକେ କଂସ ମହାରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନରେ ମହାରାଜ କଂସଙ୍କ ରାଜଦରବାରରେ ରାଜଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ଧନୁଯାତ୍ରାର ଭବ୍ୟ ଆୟୋଜନକୁ ସେ ପ୍ରଶଂସା କରିଥିଲେ। ରାଜଅତିଥିଙ୍କୁ କଂସ ମହାରାଜ ସମ୍ବର୍ଦ୍ଧିତ କରିଥିଲେ।

 ରାଜଦରବାରରେ ମନ୍ତ୍ରୀଙ୍କ ସହିତ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଯୋଗ ଦେଇଥିଲେ।

Tags: #BargarhDhanuJatra #MaharajKansa #SriKrishna #Culture #OdishaGovt #Bargarh

LEAVE A REPLY

Please enter your comment!
Please enter your name here