ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୪ ପାଇଁ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡାଙ୍କୁ ମିଳିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର।
ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ସମାରୋହ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଇଂରାଜୀ କବି ଜେରି ପିଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକ ଲେଖିକାଙ୍କୁ ବର୍ଷ ୨୦୨୪ ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା ସମ୍ମାନିତ ହୋଇଥିଲେ। ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯାଇଛି।
“ଅନୁବାଦ ହେଉଛି ଏକ ସେତୁ। ଏହି ସେତୁ ଇଂରାଜୀ ଭାଷାର ପଥ ଦେଇ ଯିବା ବଦଳରେ ସିଧାସଳଖ ଦୁଇଟି ଭାଷାକୁ ଯୋଡ଼ିବା ଉଚିତ। ଲେଖାଲେଖି ଆରମ୍ଭ କରିବାର କୌଣସି ବୟସ ନଥାଏ। ଲେଖିବା ସହିତ ପଢ଼ିବା ମଧ୍ୟ ସମାନ ଭାବେ ଗୁରୁତ୍ଵପୂର୍ଣ୍ଣ”, କହିଛନ୍ତି ଜେରି ପିଣ୍ଟୋ
ଏହି ଉତ୍ସବରେ ଅହମିଆ ଭାଷା ପାଇଁ ନୟନଜ୍ୟୋତି ଶର୍ମା, ବଙ୍ଗଳା ଭାଷା ପାଇଁ ସୁତପା ଚକ୍ରବର୍ତ୍ତୀ, ବୋଡ଼ୋ ଭାଷା ପାଇଁ ରାଣୀ ବୋଡ଼ୋ, ଡୋଗ୍ରୀ ଭାଷା ପାଇଁ ହୀନା ଚୌଧୁରୀ, ଇଂରାଜୀ ଭାଷା ପାଇଁ କେ. ବୈଶାଳୀ, ଗୁଜୁରାଟୀ ଭାଷା ପାଇଁ ରିଙ୍କୁ ଭଜେସିଂହ ରାଠୋଡ଼, ହିନ୍ଦୀ ଭାଷା ପାଇଁ ଗୌରବ ପାଣ୍ଡେ, କନ୍ନଡ଼ ଭାଷା ପାଇଁ ଶ୍ରୁତି ବି.ଆର. ଓ କୋଙ୍କଣୀ ଭାଷା ପାଇଁ ଅଦ୍ୱୈତ ସାଲଗାଓଁକର ପୁରସ୍କୃତ ହୋଇଥିଲେ।
ସେହିପରି ମୈଥିଳି ଭାଷା ପାଇଁ ରିଙ୍କି ଝା ରିଷିକା, ମାଲୟାଲମ ଭାଷା ପାଇଁ ଶ୍ୟାମକ୍ରିଷ୍ଣନ ଆର୍, ମଣିପୁରୀ ଭାଷା ପାଇଁ ୱାଇଖୋମ ଚିଙ୍ଗଖେଙ୍ଗନବା, ମରାଠୀ ଭାଷା ପାଇଁ ଦେବୀଦାସ ସୌଦାଗର, ନେପାଳୀ ଭାଷା ପାଇଁ ସୁରଜ ଚାପାଗାଇଁ, ପଞ୍ଜାବୀ ଭାଷା ପାଇଁ ରଣଧୀର ସିଂହ, ରାଜସ୍ଥାନୀ ଭାଷା ପାଇଁ ସୋନାଲି ସୁଥର, ସାନ୍ତାଳୀ ଭାଷା ପାଇଁ ଅଞ୍ଜନ କର୍ମକାର, ସିନ୍ଧି ଭାଷା ପାଇଁ ଗୀତା ପ୍ରଦୀପ ରୁପାନି, ତାମିଲ ଭାଷା ପାଇଁ ଲୋକେଶ ରଘୁରମଣ, ତେଲୁଗୁ ଭାଷା ପାଇଁ ରମେଶ କାର୍ତ୍ତିକ ନାୟକ ଏବଂ ମୋହମ୍ମଦ ଜାଭେଦ ଅହମଦଙ୍କୁ ଉର୍ଦ୍ଦୁ ଭାଷା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା ଏବଂ ସଚିବ କେ ଶ୍ରୀନିବାସରାଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ସମାରୋହ ପ୍ରାରମ୍ଭରେ ଆବାହନୀ ସଂଗୀତ ପରିବେଷଣ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର।
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ୨୦୧୧ ମସିହାରୁ ଏହି ଯୁବ ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତି ବର୍ଷ ବିଭିନ୍ନ ଭାରତୀୟ ଭାଷାରେ ୩୫ ବର୍ଷ ବୟସରୁ କମ୍ ଯୁବ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରା ଯାଇଥାଏ। ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କା ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥାଏ।
Tags: #KendraSahityaAkademi #YuvaPuraskar2024 #SanjayKumarPanda #OdiaWriter #Bhubaneswar