ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ ନାମୀ ଦମୀ ଗାଡ଼ିରେ ବୁଲୁଥିଲେ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁ କହି ବଡ଼ବଡ଼ିଆଙ୍କୁ ଠକୁଥିଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି। ଅନିଲ-ହଂସିତା ଏବେ ଗିରଫ ହୋଇ ଜେଲରେ ଥିବାବେଳେ ସେମାନଙ୍କ କଳାସାମ୍ରାଜ୍ୟର ଗୁମର ଖୋଲୁଛି କମିଶନରେଟ ପୋଲିସ।

ଅନିଲ ମହାନ୍ତି ଏବଂ ହଂସିତା ଅଭିଲପ୍ସା ନିଜକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ଏକାଠି ରହୁଥିଲେ। ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ଲଗଜରୀ କାର ଧରି ବୁଲୁଥିଲେ। ନିଜକୁ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁର ପରିଚୟ ଦେଉଥିଲେ। କେବଳ ସେତିକି ନୁହେଁ ଓଡ଼ିଶାର କିଛି ବଡ଼ ବଡ଼ ବ୍ୟକ୍ତିଙ୍କ ଫଟୋ ସହ ନିଜ ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ଠକେଇ କରିବାକୁ ଯୋଜନା କରୁଥିବାବେଳେ ଗତ ୨୦୨୪ ଡିସେମ୍ବର ୨୬ ତାରିଖରେ ଫସିଥିଲେ ଅନିଲ-ହଂସିକା।

ଉଭୟଙ୍କ ବିରୋଧରେ ଠକେଇ ଅଭିଯୋଗ ହେବା ପରେ ୨୦୨୪ ଡିସେମ୍ବର ୨୯ ତାରିଖରେ  ଅନିଲ ଓ ହଂସିକାଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ। ଗିରଫ ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ବାରମ୍ବାର ପରିଚୟ ବଦଳାଇ ଠକିବାର ନୂଆ ନୂଆ ବାଟ ବାଛୁଥିଲେ ଦୁହେଁ। ଅଧିକାଂଶ ବ୍ୟବସାୟୀଙ୍କ କାଉଣ୍ଟରୁ ହଂସିତା ଏବଂ ଅନିଲଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ।

ହଂସିତା-ଅନିଲଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ଉଭୟଙ୍କ ଭୁବନେଶ୍ଵରସ୍ଥିତ କାର୍ଯ୍ୟାଳୟ ସମେତ ୧୨ଟି ଠିକଣା ଉପରେ ଚଢ଼ଉ କରିଥିଲା ଆୟକର ବିଭାଗ। ଚଢ଼ଉ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପାତ୍ର ଜବତ କରାଯିବା ସହ ଗୋଟିଏ ପୋର୍ସେ ଓ ଗୋଟିଏ ଜାଗୁଆର କାର ଠାବ କରାଯାଇଛି।

ତେବେ କେମିତି ଏତେ ଧନୀ ହେଲେ ଅନିଲ-ହଂସିତା ତା’ର ଗୁମର ଖୋଲିବାକୁ ଲାଗିପଡ଼ିଛି କମିଶନରେଟ ପୋଲିସ। ପୋଲିସର ତଦନ୍ତ ବେଳେ ଜଣାପଡ଼ିଛି ଅନିଲ ପୂର୍ବରୁ ଭୁବନେଶ୍ଵରରେ ଗୋଟିଏ ଜଳଖିଆ ଦୋକାନ କରିଥିଲେ। କିନ୍ତୁ ହଂସିତା ତାଙ୍କ ଜୀବନକୁ ଆସିବା ପରେ ଅନିଲଙ୍କ ଭାଗ୍ୟ ବଦଳି ଯାଇଥିଲା।

ହଂସିତା ପୂର୍ବରୁ ବିବାହିତ ଥିଲେ, କିନ୍ତୁ ସ୍ଵାମୀଙ୍କଠାରୁ ଅଲଗା ରହୁଥିଲେ। ସେହିପରି ଅନିଲ ମଧ୍ୟ ନିଜ ସ୍ତ୍ରୀ ପିଲାଙ୍କଠାରୁ ଦୂରରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଦୁହେଁ ନିଜକୁ ସ୍ଵାମୀ ପତ୍ନୀର ପରିଚୟ ଦେଇ ଏକାଠି ରହୁଥିଲେ। ପରେ ସେ ବଡ଼ ବଡ଼ିଆଙ୍କୁ ଲୁଟିବାକୁ ନୂଆ ନୂଆ ଯୋଜନା କରୁଥିଲେ ବୋଲି ପୋଲିସ କହିଛି।

ସୋମବାର ଦିନ ଅନିଲ-ହଂସିତା ଠକେଇ ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ କେସ ଡାଏରି ଦାଖଲରେ ବିଳମ୍ବ ହେବାରୁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଜାନୁଆରି ୧୬ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ଏପଟେ ଅନିଲ-ହଂସିତା ଠକେଇ ମାମଲାରେ ରାଜ୍ୟର ୧୨ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆୟକର ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। ପୁଣି ଅନିଲ ଓ ହଂସିତାଙ୍କୁ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସର ସ୍ପେସାଲ କ୍ରାଇମ ୟୁନିଟ ଆବେଦନ କରିବାର ସମ୍ଭାବନା ରହିଛି।

ତେବେ କି ମୋଡ଼ ନେବ ଅନିଲ-ହଂସିତାଙ୍କ ଠକେଇ କାହାଣୀ, ତା’ ଉପରେ ରହିଛି ସମସ୍ତଙ୍କ ନଜର।

Tags: #HansitaAbhilipsa #AnilMohanty #FraudCase #Odisha

LEAVE A REPLY

Please enter your comment!
Please enter your name here