ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସଂସ୍କୃତି ତଥା ଆସ୍ଥାର ପ୍ରତୀକ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି। ମହାକୁମ୍ଭକୁ ବିଶ୍ୱର ସବୁଠାରୁ ବଡ ମେଳା ବୋଲି କୁହାଯାଏ। ସୋମବାର ପୌଷ ପୂର୍ଣ୍ଣିମା ତିଥିରେ ହୋଇଥିଲା ମହା ସ୍ନାନ। ଏହି ମେଳାରେ ଦେଶ, ବିଦେଶର ଅନେକ ଭକ୍ତ ଯୋଗ ଦେଇଛନ୍ତି।

୪୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ସାରା ବିଶ୍ୱର ସାଧୁ ସନ୍ଥମାନେ ଯୋଗ ଦେବେ। ଏହି ସାଧୁସନ୍ଥମାନଙ୍କ ମଧ୍ୟରେ ଏମିତି ଅନେକ ଅଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ବିଶ୍ୱାସ କରିହେବନି। ହେଲେ କଠୋର ତପସ୍ୟା, ନିଷ୍ଠା ଏବଂ ପ୍ରକାଣ୍ଡ ଭକ୍ତିଭାବ ଯୋଗୁ ଏହି ସାଧୁମାନେ ଅସମ୍ଭବ କାମକୁ ସମ୍ଭବ କରପାରିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି ସାଧୁସନ୍ଥଙ୍କ ବିଷୟରେ।

୩୨ ବର୍ଷ ଧରି ଗାଧୋଇ ନାହାନ୍ତି ବାବା ଲିଲିପୁଟ

ଏଥର ମହାକୁମ୍ଭର ଧ୍ୟାନ ଆକର୍ଷଣ କରିଛନ୍ତି ଲିଲିପୁଟ ବାବା। ତାଙ୍କର ପ୍ରକୃତ ନାମ ବାବା ଗଙ୍ଗା ଗିରି। ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ ୫ ଇଞ୍ଚ ଓ ବୟସ ୫୭ ବର୍ଷ। କୁମ୍ଭମେଳାକୁ ଆସିଥିବା ସାଧୁସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ଲିଲିପୁଟ ବାବା। ତାଙ୍କର କଠୋର ତପସ୍ୟା ଏବଂ ଜୀବନ ଶୈଳୀ ପ୍ରକୃତରେ ଆଶ୍ଚର୍ଯ୍ୟ କରିଦେବା ପରି।   

ନିଜର ଅନନ୍ୟ ପ୍ରତିଷ୍ଠା ଏବଂ ଆଶ୍ଜର୍ଯ୍ୟଜନକ ଜୀବନଧାରଣ କରୁଥିବା ବାବା ଗଙ୍ଗାଗିରି ଆସାମର ବାସିନ୍ଦା। ମହାକୁମ୍ଭରେ ସେ ଜୁନା ଆଖଡ଼ାରେ ରୁହନ୍ତି। ତେବେ ସେ ଆଖଡ଼ାଠାରୁ ଅଲଗା ହୋଇ ଏକ ଛୋଟ କୁଡ଼ିଆରେ ରହୁଛନ୍ତି। ବାବାଙ୍କ ହଠଯୋଗୀ ଜୀବନ ତାଙ୍କ ପରିଚୟର ଏକ ମହତ୍ୱପୂର୍ଣ୍ଣ ଅଂଶ। ସେ ଗତ ୩୨ ବର୍ଷ ଧରି ସ୍ନାନ କରିନାହାନ୍ତି। ଏହା ପଛରେ ଏକ ବିଶେଷ ସର୍ତ୍ତ ରହିଛି। ବାବା ତାଙ୍କ ଗୁରୁଙ୍କଠାରୁ ଦୀକ୍ଷଗ୍ରହଣ ସମୟରେ ଏହି ସର୍ତ୍ତ ରଖିଥିଲେ।

ବାବାଙ୍କ କହିବା ଅନୁଯାୟୀ, ନ ଗାଧୋଇବା ତାଙ୍କ ସାଧନାର ଏକ ଅଂଶ। ଏହି ସାଧାନାକୁ ସେ ପୁରା ନିଷ୍ଠାର ସହ ପାଳନ କରିଛନ୍ତି। ଏତେ ବର୍ଷ ଧରି ସ୍ନାନ ନ କଲେ ମଧ୍ୟ ବାବା ସ୍ୱଚ୍ଛତା ପ୍ରତି ବେଶ ସେଚତନ। ଏପରିକି ମା’ ଗାଙ୍ଗାଙ୍କ ସ୍ୱଚ୍ଛତା ପାଇଁ ମଧ୍ୟ ସଚେତନ ବାର୍ତ୍ତା ଦିଅନ୍ତି ଏହି ବାବା। 

ମହାକୁମ୍ଭରେ ସାଧୁସନ୍ଥମାନଙ୍କର ବଡ ଆକର୍ଷଣ ହେଉଛି ଗଙ୍ଗା ସ୍ନାନ। ହେଲେ ବାବା ଲିଲିପୁଟ ବା ଗଙ୍ଗା ଗିରି ସ୍ନାନଠାରୁ ଦୂରରେ ରୁହନ୍ତି। ସେ ବାବା କୁମ୍ଭ ମେଳାକୁ ତାଙ୍କ ଗୁରୁଙ୍କୁ ଭେଟିବା ପାଇଁ ଆସିଛନ୍ତି। ଗୁରୁଙ୍କ ସାକ୍ଷାତ ପାଇବା ପରେ ସେ କୁମ୍ଭମେଳା ଛାଡ଼ି ଚାଲିଯିବେ।

ଲିଲିପୁଟ ବାବା ପାଦରେ କଠଉ ଏବଂ ନାକ ମଝିରେ ନୋଥ ପିନ୍ଧିଥାନ୍ତି। ମହାକୁମ୍ଭରେ ତାଙ୍କୁ ଭେଟିବା ପାଇଁ ଭକ୍ତ ଓ ଅନ୍ୟ ସାଧୁସନ୍ଥଙ୍କ ଭିଡ଼ ଜମିଛି। ବାବାଙ୍କ କୁଟୀର ପାଖରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ମିଡ଼ିଆକୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ସେ ସ୍ନାନ କରୁନାହାନ୍ତି ସତ ହେଲେ ତାଙ୍କର ସାଧନାର ଉଦ୍ଦେଶ୍ୟ ହେଉଛି ଆତ୍ମଶୁଦ୍ଧି। ଯାହା ବାହାର ଶୁଦ୍ଧାତାଠାରୁ ଅଧିକ ମହତ୍ୱପୂର୍ଣ୍ଣ।

ମୌନୀ ବାବା: ଖାଆନ୍ତିନି କି କଥା ବି କୁହନ୍ତିନି

ମହାକୁମ୍ଭରେ ସାମିଲ ହୋଇଥିବା ଆଉଜଣେ କଳ୍ପବାସୀ ହେଉଛନ୍ତି ବାବା ଦିନେଶ ସ୍ୱରୂପ ବ୍ରହ୍ମଚାରୀ। ମୌନୀ ବାବା ଭାବେ ତାଙ୍କର ପିରିଚୟ ରହିଛି। ତାଙ୍କର ତ୍ୟାଗ ଏବଂ ସଙ୍କଳ୍ପ ଯେତିକି କଠୋର ସେତିକି ଭକ୍ତିପୂର୍ଣ୍ଣ। ବାପାଙ୍କ ମୃତ୍ୟୁପରେ ଦିନେଶ ବ୍ରହ୍ମଚାରୀଙ୍କୁ ଶିକ୍ଷକତା ଚାକିରୀ ମିଳିଥିଲା। ହେଲେ ଗୃହସ୍ଥ ଜୀବନ ପ୍ରତି ସେ ବିତସ୍ପୃହ ଥିଲେ।

ଦିନେଶ ସ୍ୱରୂପଙ୍କ କଳ୍ପବାସ ଦୁନିଆ ବି ଭିନ୍ନ। ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି। ଗଙ୍ଗା ସ୍ନାନ ପରେ ନିଜର ପୂଜା ଆରାଧାନ କରନ୍ତି। ହାତରେ ଦଣ୍ଡ ଧରି ୫୧ ଦଣ୍ଡୀ ସ୍ୱାମୀ ସାଧୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରନ୍ତି। ସେମାନଙ୍କୁ ଖାଦ୍ୟ ପରଷି ଦିଅନ୍ତି, ହେଲେ ନିଜେ ଖାଆନ୍ତି ନାହିଁ। ରାତିରେ ଭୂମି ଉପରେ ଶୋଇଯାନ୍ତି। ଦିନେଶ ସ୍ୱରୂପଙ୍କ କହିବା ଅନୁଯାୟୀ ସେ ୪୧ ବର୍ଷ ଧରି କଳ୍ପବାସ କରି ଆସୁଛନ୍ତି। କୁହାଯାଏ, ବାବା ଦିନେଶ ସ୍ୱରୂପ ସବୁଠାରୁ ଅଧିକ ସମୟ କଳ୍ପବାସ କରୁଥିବା ତପସ୍ୱୀ ଅଟନ୍ତି ।

ବାବା ନିଜ ସଙ୍କଳ୍ପରେ ପୂରା କଠୋର। ଆଜିକୁ ୪୧ ବର୍ଷ ତଳେ ସେ ଅଖଣ୍ଡ କଳ୍ପବାସ ଆରମ୍ଭ କରିଥିଲେ। ସେହିଦିନଠାରୁ ସେ ଖାଦ୍ୟ ଓ ପାନୀୟ ଛାଡ଼ି ଦେଇଛନ୍ତି। ସେ କେବଳ କ୍ଷୀରର ଚା’ ପିଅନ୍ତି। ଦିନରେ ୧୦ କପ ଚା’ ହିଁ ତାଙ୍କର ଖାଦ୍ୟ, ପାନୀୟ ସବୁକିଛି। ଏଥିପାଇଁ ଲୋକେ ତାଙ୍କୁ ପୟହାରୀ ନାମରେ ଡାକିଥାନ୍ତି।

୪୧ ବର୍ଷ ମଧ୍ୟରେ ମୌନୀ ବାବା ପଦୁଟିଏ ବି କଥା କହିନାହାନ୍ତି। ସେ ଯେତେବେଳେ ଏହି ସଙ୍କଳ୍ପ ନେଇଥିଲେ, ଡାକ୍ତରମାନେ ଏହା ନ କରିବାରୁ ତାଙ୍କୁ ବହୁତ ବୁଝାଇଥିଲେ। ହେଲେ ସେ ତାଙ୍କର ସଙ୍କଳ୍ପ ବଦଳାଇ ନଥିଲେ। ବାବାଙ୍କର ୨ଟି ବାଇପାସ ସର୍ଜରୀ ହୋଇ ସାରିଲାଣି। ୮୦ ପ୍ରତିଶତ ହାର୍ଟ ତାଙ୍କର କାମ କରୁନି। ଏସବୁ ସତ୍ତ୍ୱେ ବାବା ଏକଦମ ଫିଟ୍। ଡାକ୍ତର ବି ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

କଳ୍ପବାସୀ ମୌନୀ ବାବାଙ୍କ ଇଷ୍ଟ ଦେବ ହେଉଛନ୍ତି ପ୍ରଭୁ ବାଲାଜୀ। କୁମ୍ଭମେଳାର ସେକ୍ଟର ୧୭ରେ ନାଗବାସୁକୀ ମାର୍ଗରେ ଏକ ସାଧାରଣ ଶିବିରରେ କଳ୍ପବାସ କରନ୍ତି ବାବା। ପ୍ରତିଦିନ ସେ ଶିକ୍ଷାଦାନ କରନ୍ତି। ପିଏସସି ପରୀକ୍ଷାରେ ପଢ଼ାଯାଉଥିବା ହଜାର ହଜାର ପୁସ୍ତକ ବାବାଙ୍କ କୁଟୀରରୁ ମିଳିଥାଏ। ଦିନେଶ ବାବା ନିଜେ ବିଏସସି ବାୟୋ ଛାତ୍ର ଥିଲେ। ତାଙ୍କ ସଙ୍କଳ୍ପର ଏକ ଅଂଶ ହେଉଛି ପ୍ରତିଦିନ ସେ ପୁସ୍ତକ ପଢ଼ି ସେଥିରୁ ନୋଟସ ପ୍ରସ୍ତୁତ କରିବା। ଏହି ନୋଟ୍ସକୁ ସେ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରସାଦ ଆକାରରେ ଦେଇଥାନ୍ତି।

 ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ମହାକୁମ୍ଭ ମେଳା ପ୍ରତି ୧୨ ବର୍ଷରେ ପଡ଼ିଥାଏ। ଅନେକ ପ୍ରାଚୀନ କାଳରୁ ଚାଲିଆସୁଛି ଏହି ପବିତ୍ର ମହାକୁମ୍ଭ ମେଳା। ଏଥର ପ୍ରୟାଗରାଜରେ ପାଖାପାଖି ୪ ହଜାର ହେକ୍ଟର ଭୂମିରେ ଆୟୋଜିତ ହୋଇଛି ଏହି ମହାକୁମ୍ଭ। ଏହାକୁ ୨୫ଟି ସେକ୍ଟରରେ ବିଭାଜିତ କରାଯାଇଛି। ଉତ୍ତରପ୍ରଦେଶ ସରକାର ମହାକୁମ୍ଭ କ୍ଷେତ୍ରକୁ ୭୬ତମ ଜିଲ୍ଲା ଭାବେ ଘୋଷିତ କରିଛିନ୍ତି।

Tags: #KumbhMela #MahaKumbh #Prayagraj #Sangam #Culture #India

LEAVE A REPLY

Please enter your comment!
Please enter your name here