ଓଡ଼ିଶାଲାଇଭ୍ ବ୍ୟୁରୋ

କଂସ ବଧ ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୭ତମ ସଂସ୍କରଣ। ଏହି ଅବସରରେ କଂସଙ୍କ ରାଜଦରବାରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇ ମହୋତ୍ସବର ସଫଳ ଆୟୋଜନରେ ସହଯୋଗ ପାଇଁ ସମସ୍ତ କମିଟି ସଦସ୍ୟ, ଜିଲ୍ଲାର ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଏବଂ ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଧନୁଯାତ୍ରା ମହୋତ୍ସବର ସମସ୍ତ କମିଟିର ଆବାହକମାନଙ୍କୁ ସମ୍ମାନିତ କରାଯାଇଥିଲା।

୧୧ ଦିନ ଧରି ବରଗଡ଼ ଧନୁଯାତ୍ରାର ଭବ୍ୟ ଆୟୋଜନ କରାଯାଇଥିଲା। ଅମ୍ବାପାଲି ଗୋପପୁର ପାଲଟିଥିବା ବେଳେ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହୋଇଥିଲା।

ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ହୋଇଛି ଜୟ। ଭଣଜା କୃଷ୍ଣଙ୍କ ହାତରେ ମାମୁ କଂସ ନିହତ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଏହି ନାଟକୀୟ ଦୃଶ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସଙ୍କ ସବୁ ଯୋଜନା ପଣ୍ଡ ହୋଇଥିଲା। ଶିବଧନୁ ଭାଙ୍ଗିବା ସହ କୁବଳୟା ହସ୍ତୀ, ଚାଣୁର ଓ ମୁଷ୍ଟିକ ସମେତ ଅଷ୍ଟମଲ୍ଲଙ୍କୁ ନିହତ କରିଥିଲେ କୃଷ୍ଣ-ବଳରାମ। ଶେଷରେ କୃଷ୍ଣ-ବଳରାମଙ୍କ ସହ ମହାରାଜ କଂସଙ୍କର ହୋଇଥିଲା ତୁମୁଳ ସଂଗ୍ରାମ। ଏଥିରେ କଂସଙ୍କର ନିଧନ ହୋଇଥିଲା।

କଂସଙ୍କ ନିଧନ ପରେ ପୁଣିଥରେ ଉଗ୍ରସେନ ମଥୁରାର ରାଜଗାଦିରେ ବସିଥିଲେ। ଉଗ୍ରସେନଙ୍କ ରାଜ୍ୟାଭିଷେକ ପରେ ଉତ୍ସବମୁଖର ହୋଇ ଉଠିଥିଲା ମଥୁରା ନଗରୀ। ମହାରାଜ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଥିଲେ କୃଷ୍ଣ-ବଳରାମ।

Tags: #BargarhDhanuJatra #KansaBadha #KansaMaharaj #Bargarh

LEAVE A REPLY

Please enter your comment!
Please enter your name here