ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ନିଯୁକ୍ତ କରାଯାଇଛି। ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜାତୀୟ ଶିକ୍ଷା ନୀତି ପାଇଁ ହୋଇଥିବା ଏହି କମିଟିରେ ୧୭ ଜଣ ସଦସ୍ୟ ରହିଛନ୍ତି। ଜାନୁଆରି ୨୧ରୁ ୨୩ ଯାଏଁ ଜାତୀୟ ଶିକ୍ଷା ନୀତିକୁ ନେଇ କମିଟିର କର୍ମଶାଳା ଅନୁଷ୍ଠିତ ହେବ।
“୨୦୨୫-୨୬ ଶିକ୍ଷା ବର୍ଷରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ନୂଆ ଶିକ୍ଷା ନୀତି ଦ୍ୱାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସରଳୀକରଣ ହେବ। ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରାଯିବ। ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ସେହିପରି ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ବି ଗୁରୁତ୍ଵ ଦିଆଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶେଷ ଭାବେ ପାଠ୍ୟକ୍ରମରେ ସାମିଲ କରାଯିବ”, କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ତେବେ ଜାତୀୟ ଶିକ୍ଷା ନୀତି ପାଇଁ ଗଠିତ କମିଟି ସମସ୍ତଙ୍କ ମତାମତ ନେବେ। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତି କରିବା ନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି।
Tags: #NationalEducationPolicy2020 #Education #Schools #SMEOdisha