ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଛି ଛୁରାମାଡ଼। ବୁଧବାର ରାତି ୨ଟା ପରେ ଘର ଭିତରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛି। ତାଙ୍କ ଉପରକୁ ୬ ଥର ଛୁରିରେ ଆକ୍ରମଣ କରାଯାଇଛି। ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସୈଫଙ୍କ ଶରୀରରେ ୨ଟି ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ କିଏ ଏପରି ଆକ୍ରମଣ କଲା ସେ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରହିଛି।
କ’ଣ ଥିଲା ଘଟଣାକ୍ରମ?
ସୈଫ ଅଲ୍ଲୀ ଖାନଙ୍କ ଟିମ ପକ୍ଷରୁ ଏହି ଆକ୍ରମଣ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଟିମର କହିବା ଅନୁଯାୟୀ, ବୁଧବାର ରାତିରେ ସୈଫଙ୍କ ଘରୁ ଚୋରି ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତ ଜଣଙ୍କ ସୈଫଙ୍କ ଘରେ ପଶିଥିଲା। ପ୍ରଥମେ ଘରର ଚାକରାଣୀଙ୍କ ସହ ତାଙ୍କର ଯୁକ୍ତି ହୋଇଥିଲା। ପାଟି ଶୁଣି ସୈଫ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ। ହଠାତ ସେ ସୈଫଙ୍କ ଉପରକୁ ଆକ୍ରମଣ କରିଥିଲା। ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା। ଏହି ସମୟରେ ଦୁର୍ବୃତ୍ତ ଜଣକ ସୈଫଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏହାପରେ ଦୁର୍ବୃତ୍ତ ଖସି ପଳାଇଥିଲା।
ଏହି ଘଟଣାରେ ଘରର ସହାୟିକା ମଧ୍ୟ ଆହତ ହୋଇଥିଲେ। ତେବେ ତାଙ୍କ ଅବସ୍ଥା ଭଲ ଅଛି। ସୈଫଙ୍କ ଘରେ ଏକ ଡକ୍ଟ ପାଇପ ଲାଗିଥିଲା। ଦୁର୍ବୃତ୍ତ ଏହି ଡକ୍ଟ ପାଇପ ଦେଇ ଭିତରକୁ ଆସିଥିଲା ବୋଲି ସନ୍ଦେହ କରାଯାଉଛି।
ବୟାନ ରଖିଲେ ଡାକ୍ତର
ଅନ୍ୟପକ୍ଷେ ଲୀଳାବତୀ ହସ୍ପିଟାଲ ପକ୍ଷରୁ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବୟାନ ଜାରି କରାଯାଇଛି। ଡାକ୍ତରଖାନାରେ ଏବେ ସୈଫ ଅଲ୍ଲୀ ଖାନଙ୍କ ସର୍ଜରୀ ଚାଲିଛି। ସୈଫଙ୍କ ବେକ ଓ ମେରୁଦଣ୍ଡରେ ଆଘାତ ହୋଇଛି। ମେରୁଦଣ୍ଡର ଆଘାତ ବେଶି ଅଧିକ ହୋଇଥିବା କୁହାଯାଉଛି।
ଡାକ୍ତର ନୀରଜ ଉତ୍ତମାନୀ କହିଛନ୍ତି, “ସୈଫ ଭୋର ୩ଟା ୩୦ରେ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କୁ ୬ ଥର ଛୁରାରେ ଆକ୍ରମଣ ହୋଇଛି। ତାଙ୍କ ମେରୁଦଣ୍ଡ ନିକଟ କ୍ଷତ ଗୁରୁତର ହୋଇଛି। ନ୍ୟୁରୋ ସର୍ଜନ, କସ୍ମେଟିକ ସର୍ଜନ ଏବଂ ଆନେସ୍ଥେଟିଷ୍ଟ ଡାକ୍ତରଙ୍କ ନେତୃତ୍ୱରେ ତାଙ୍କର ଅପରେସନ ଚାଲିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।”
କେଉଁଠି ଥିଲେ ପରିବାର ସଦସ୍ୟ?
ଏହି ଘଟଣାର ୯ ଘଣ୍ଟା ପୂର୍ବରୁ କରିସ୍ମା କପୁର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରିଥିଲେ। ଏଥିରେ ସେ ଭଉଣୀ କରୀନା, ସାଙ୍ଗ ରିୟା ଏବଂ ସୋନମ କପୁରଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ତିନିଜଣ ଯାକ ଏକାଠି ଡିନର କରୁଥିବା ଦେଖିବାକୁ ମିଳିଛି। କରୀନା ମଧ୍ୟ ଭଉଣୀଙ୍କର ଏହି ପୋଷ୍ଟକୁ ତାଙ୍କ ଆକାଉଣ୍ଟରେ ରି-ସେୟାର କରିଥିଲେ।
ତେବେ ଏହି ଘଟଣା ଘଟିବା ସମୟରେ କରୀନା ଘରକୁ ଫେରି ଆସିଥିଲେ ଏବଂ ତୈମୁର, ଜେହଙ୍କ ସହ ଘରେ ଥିଲେ। ପରିବାର ଲୋକଙ୍କୁ ରକ୍ଷା କରିବା ପାଇଁ ଯାଇ ସୈଫ ଦୁର୍ବୃତ୍ତଙ୍କ ସହ ଲଢ଼ିଥିଲେ ବୋଲି କୁହାଯାଉଛି। ତେବେ ଏ ନେଇ ପଟୌଦି ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ।
ସୈଫଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ସୈଫଙ୍କ ଟିମ ପକ୍ଷରୁ ମିଡିଆ ଏବଂ ଫ୍ୟାନ୍ସମାନଙ୍କୁ ସୈଫଙ୍କ ସ୍ଥିତି ବିଷୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି।
Tags: #SaifAliKhan #Actor #Attack #Bollywood #Mumbai