ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିଛି ବାନ୍ଦ୍ରା ପୋଲିସ। ଅଭିଯୁକ୍ତକୁ ଥାନାରେ ରଖି ପୋଲିସ ପଚରା ଉଚରା କରୁଛି। ଅଭିଯୁକ୍ତଙ୍କୁ ଧରିବାକୁ ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ୨୮ ଜଣିଆ ଟିମକୁ ଲାଗିଥିଲା ପ୍ରାୟ ୩୨ ଘଣ୍ଟା ସମୟ।
ସୈଫ ଅଲ୍ଲି ଖାନଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଛି ପୋଲିସ। ଅଭିଯୁକ୍ତଙ୍କ ନାଁ ସାହିଦ। ମୁମ୍ବାଇର ତାଡ଼ଦେବ ଷ୍ଟେସନ ପୋଲିସ ଟିମ ସାହିଦଙ୍କୁ ଫକଲାଣ୍ଡ ରୋଡ ଗିରଗାଓଁରୁ ଧରିଛି। ଅଭିଯୁକ୍ତ ସାହିଦଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଘରେ ପଶି ଚୋରି କରିବା ନେଇ ମାମଲା ରହିଛି।
ଥାନାରେ ଅଟକ ଥିବା ବ୍ୟକ୍ତି ପ୍ରକୃତରେ ଆକ୍ରମଣକାରୀ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଗ ସିସିଟିଭି ଫୁଟେଜରେ ଅଭିଯୁକ୍ତ ଧରିଥିବା ବ୍ୟାଗ ସମାନ ଥିବାରୁ ତାଙ୍କୁ ଥାନାକୁ ଅଣାଯାଇଛି।
ପୋଲିସ କହିଛି ଏହି ମାମଲାରେ କୌଣସି ଭୁଲ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହଁ। ତେଣୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ପରେ ଯାହା ନିଷ୍ପତ୍ତି ନିଆଯିବ।
ସୈଫ ଅଲ୍ଲି ଖାନଙ୍କ ଘରରେ କଡ଼ା ସିକ୍ୟୁରିଟି ଥିଲେ ମଧ୍ୟ ଏହାକୁ ଭେଦି କେମିତି ବାହାର ଲୋକ ଘରେ ପଶିଲା। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ବେଶ ବଦଳାଇ ଅଭିଯୁକ୍ତ ସୈଫଙ୍କ ଘରେ ପଶି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
ଗୁରୁବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଅଭିନେତା ସୈଫ ଅଲ୍ଲି ଖାନଙ୍କ ଘରେ ପଶିଥିଲା। ଦୁର୍ବୃତ୍ତ ଜଣକ ପ୍ରଥମେ ସୈଫଙ୍କର ଘରୋଇ ସହାୟିକାଙ୍କୁ ଆକ୍ରଣମ କରିଥିଲେ। ଏହି ସମୟରେ ସୈଫ ଅଲ୍ଲି ଖାନ ଆସି ବିରୋଧ କରିବାରୁ ଆକ୍ରମଣକାରୀ ଏବଂ ସୈଫଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପରେ ଆକ୍ରମଣକାରୀ ସୈଫଙ୍କୁ ଛୁରାରେ ୬ଥର ଆକ୍ରମଣ କରିଥିଲା।
ସୈଫଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୨ଟି ସର୍ଜରୀ କରାଯାଇଛି। ଏବେ ଅଭିନେତା ସୈଫ ଅଲ୍ଲି ଖାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
Tags: #SaifAliKhan #Actor #Attack #Bollywood #Mumbai