ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା ୨୦୨୫। ମହାକୁମ୍ଭରେ ଜମିଛି ସାଧୁସନ୍ଥଙ୍କ ଆଖଡ଼ା। ମେଳାରେ ବିଭିନ୍ନ ସାଧୁଙ୍କ ଅଦ୍ଭୁତ ସ୍ୱରୂପ ଦେଖିବାକୁ ମିଳୁଛି।  ମହାକୁମ୍ଭକୁ ଆସିଥିବା ସାଧୁସନ୍ଥମାନେ ଏବେ ସୋସିଆଲ ମିଡିଆ, ମୁଖ୍ୟ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛନ୍ତି। ଏହି ଭାଇରାଲ ବାବାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋଲଡେନ ବାବା।

ଗୋଲଡେନ ବାବାଙ୍କ ନାମ ହେଉଛି ଏସ.କେ ନାରାୟଣ ଗିରି ଜୀ ମହାରାଜ। ଗୋଲଡେନ ବାବା କେରଳର ମୂଳ ବାସିନ୍ଦା ହେଲେ ହେଁ ଏବେ ଦିଲ୍ଲୀରେ ରହୁଛନ୍ତି। ନିରଞ୍ଜନ ଆଖଡ଼ା ସହ ସଂପୃକ୍ତ ଥିବା ବାବା ତାଙ୍କର ଏକ ଭିନ୍ନ ବ୍ୟକ୍ତିତ୍ୱ ଏବଂ ସୁନାରେ ମଣ୍ଡିତ ଚେହେରା ପାଇଁ ଏଥର ମହାକୁମ୍ଭର ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ଗୋଲଡେନ ବାବା ୪ କିଲୋରୁ ଅଧିକ ସୁନା ପିନ୍ଧି ବୁଲନ୍ତି, ଯାହାର ଦାମ ୬ କୋଟି ଟଙ୍କା ହେବ। ବାବାଙ୍କ ପ୍ରତ୍ୟେକ ଗହଣାରେ ଅଲଗା ଅଲଗା ଚମକ ରହିଛି। ସୁନାର ମୁଦି, ଘଡି, ବ୍ରେସଲେଟ ସହିତ ତାଙ୍କ ହାତରେ ସୁନାର ଏକ ବାଡ଼ି ମଧ୍ୟ ରହିଛି। ଏହି ବାଡ଼ିରେ ବିଭିନ୍ନ ଦେବଦେବୀଙ୍କ ଲକେଟ ଝୁଲୁଥିବା ଦେଖିବାକୁ ମିଳିଛି। ଏ ସମସ୍ତ ଲକେଟ ତାଙ୍କ ସାଧନାର ପ୍ରତୀକ ବୋଲି ବାବା କୁହନ୍ତି। ଏପରିକି ବାବାଙ୍କ ମୋବାଇଲ କଭର ମଧ୍ୟ ସୁନାର ବୋଲି କୁହାଯାଉଛି ।

୬୭ ବର୍ଷର ଗୋଲଡେନ ବାବା ନିରଞ୍ଜନ ଆଖଡ଼ାର ଅଧ୍ୟକ୍ଷ ରବୀନ୍ଦ୍ର ପୁରୀ ମହରାଜଙ୍କଠାରୁ ଦୀକ୍ଷା ନେଇ ଏହି ଆଖଡ଼ାରେ ସାମିଲ ହୋଇଛନ୍ତି। ବାବା ଶିକ୍ଷା କ୍ଷେତ୍ରରେ ମଧ୍ୟ କାମ କରନ୍ତି। ତାଙ୍କ କହିବା ଅନୁଯାୟୀ, ଧର୍ମ ଏବଂ ଶିକ୍ଷା ଉଭୟଙ୍କୁ ଏକା ସାଙ୍ଗରେ ନେଇ ଚାଲିଲେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ।

ସ୍ୱର୍ଣ୍ଣ ମଣ୍ଡିତ ବାବା ଯୁଆଡେ ଯାଆନ୍ତି, ସେଠାରେ ଭକ୍ତଙ୍କ ଭିଡ଼ ଜମିଯାଏ। ତେବେ ତାଙ୍କର ଆଧ୍ୟାତ୍ମିକ ଜୀବନ ଏବଂ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଶ୍ରଦ୍ଧାଳୁଙ୍କୁ ବେଶି ଆକର୍ଷିତ କରିଥାଏ। ଏଥର କୁମ୍ଭମେଳାରେ ଗୋଲଡେନ ବାବା ଭକ୍ତିର ଜ୍ଞାନ ବାଣ୍ଟୁଛନ୍ତି।

Tags: #KumbhMela #MahaKumbh #GoldenBaba #Prayagraj #Sangam #Culture #India

LEAVE A REPLY

Please enter your comment!
Please enter your name here