ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଉଦ୍ଘାଟିତ ହୋଇଛି ‘ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶେଷ ସ୍ତରରେ ପହଞ୍ଚିଥିବା ରୋଗୀଙ୍କର ଯତ୍ନ ଏବଂ ଅନ୍ତିମ ଜୀବନକୁ ଯନ୍ତ୍ରଣାମୁକ୍ତ କରିବା ଏହି ଅନୁଷ୍ଠାନର ପ୍ରଧାନ ଉଦ୍ଦେଶ୍ୟ।
ଏହି ସେଣ୍ଟର୍ଟି ବେଙ୍ଗାଳୁରୁ ହସ୍ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ଅଭିଜ୍ଞତା ଏବଂ ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କ ଅନୁଦାନ ସହଯୋଗରେ ପ୍ରତିଷ୍ଠା ହୋଇଛି। ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସବୁ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଉଛି। ଓଡ଼ିଶା ସରକାର ଏହି ସେଣ୍ଟର୍ ପାଇଁ ଜମି ତଥା ଅନ୍ୟାନ୍ୟ ଆବଶ୍ୟକତା ରିହାତି ଦରରେ ଯୋଗାଇ ଦେଇଛନ୍ତି।
“ଏହି କେନ୍ଦ୍ରଟି ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ। ଏହା ଦାନ, ଦୟା ଓ କରୁଣାର ଏକ ମହାନ ପ୍ରତିଫଳନ। ବାଗ୍ଚୀ ଦମ୍ପତିଙ୍କ ସମାଜସେବା କ୍ଷେତ୍ରରେ ଏପରି ନିସ୍ୱାର୍ଥପର ଅବଦାନ ଅତୁଳନୀୟ। ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ରୂପେ ଅନ୍ୟମାନଙ୍କୁ ସମାଜସେବା ପାଇଁ ପ୍ରେରଣା ଯୋଗାଇବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସେ ଆହୁରି ମଧ୍ୟ କହିଛନ୍ତି, “କ୍ୟାନସର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ। ଏହି ରୋଗରେ ରୋଗୀ ସହିତ ପରିବାର ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥାନ୍ତି। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଏବଂ ଏହି ୧୧୦ ଶଯ୍ୟା ବିଶିଷ୍ଟ ପାଲିଏଟିଭ୍ କେଆର୍ ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ।”
‘ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ଏପ୍ରିଲ୍ ୨୦୨୪ରେ ସରିଥିଲା। ଏହାର ୩ ବର୍ଷ ପୂର୍ବରୁ ସେଣ୍ଟର୍ଟି ପଞ୍ଜୀକୃତ ରୋଗୀମାନଙ୍କ ପାଇଁ ଗୃହ ସେବା ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ସେଣ୍ଟର୍ର ଡାକ୍ତର, ନର୍ସ୍ ଓ କାଉନ୍ସିଲରମାନେ ୨ଟି ସେବା ଟିମ୍ ଗଠନ କରି ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କର ଘରକୁ ଯାଇ ସେମାନଙ୍କର ସେବା କରିଛନ୍ତି।
କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏଠାରେ ରୋଗୀମାନଙ୍କର ରହିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଅନୁଷ୍ଠାନ ବର୍ଷକୁ ପ୍ରାୟ ୧୫୦୦ କ୍ୟାନସର ରୋଗୀଙ୍କୁ ନିଃଶୁଳ୍କ ସେବା ଯୋଗାଇ ପାରିବ।
“କ୍ୟାନସର ରୋଗ, ରୋଗୀ ସହିତ ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ। ଏଥିପାଇଁ ଚିକିତ୍ସା ସହିତ ସମବେଦନାର ଆବଶ୍ୟକତା ରହିଛି। ଏହି କେନ୍ଦ୍ରର ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ରୋଗୀମାନଙ୍କ ଘରକୁ ଯାଇ ମଧ୍ୟ ସେବା ଯୋଗାଉଛନ୍ତି। ସମସ୍ତଙ୍କ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି। କ୍ୟାନସର ଚିକିତ୍ସା କେବଳ ସରକାରଙ୍କ ଉପରେ ଛାଡ଼ି ଦେଲେ ହେବନାହିଁ, ଆମ ସମସ୍ତଙ୍କୁ ଏଥିରେ ସହଯୋଗ କରିବାକୁ ପଡ଼ିବ”, କହିଛନ୍ତି ସୁବ୍ରତ ବାଗ୍ଚୀ।
ସେବା ଯତ୍ନ ବ୍ୟତୀତ ‘ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିବ। ଏହି କାର୍ଯ୍ୟ ବର୍ତ୍ତମାନ କେବଳ ‘କରୁଣାଶ୍ରୟ’ର ବେଙ୍ଗାଳୁରୁ କ୍ୟାମ୍ପସରେ କରାଯାଉଛି। ସେଠାରେ ଓଡ଼ିଶାର ପ୍ରାୟ ୨୦୦ ଜଣ ଡାକ୍ତର ଓ ନର୍ସ୍ ପାଲିଏଟିଭ୍ ସେବାରେ ତାଲିମ ନେଇଛନ୍ତି। ଖୁବ୍ ଶୀଘ୍ର ଏହି ତାଲିମ କାର୍ଯ୍ୟ ଭୁବନେଶ୍ଵର କ୍ୟାମ୍ପସ୍ରେ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଏହି ସେଣ୍ଟରରେ ଏକ ପୃଥକ୍ ବ୍ଲକ୍ ନିର୍ମିତ ହୋଇଛି। ଏଠାରେ ଏକ ପାଠାଗାର, କେତେକ ଶ୍ରେଣୀଗୃହ ତଥା ୫୦୦ ଜଣ ବସିପାରିବା ଭଳି ଏକ ଅଡିଟୋରିୟମ୍ ମଧ୍ୟ ରହିଛି।
ଏହି କ୍ୟାନସର ସେବା କେନ୍ଦ୍ରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଷ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହାସହ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, କୋରେଇ ବିଧାୟକ ଆକାଶ ଦାସ ନାୟକ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବେଙ୍ଗାଳୁରୁ ହସ୍ପିସ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଗୁରୁମିତ ସିଂ ରନ୍ଧାୱା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Tags: #BagchiKarunashrayaPalliativeCareCentre #CancerCare #Patients #Helathcare #Bhubaneswar #Odisha