ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ସାଧୁ ସନ୍ଥଙ୍କ ଭିଡ଼ ଜମୁଛି। ସୋମବାର ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅବସରରେ ଅମୃତ ସ୍ନାନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ସଙ୍ଗମ ନଗରୀ। ଭୋର୍‌ ୫ଟା ସମୟରୁ ବର୍ତ୍ତମାନ ଯାଏଁ ୮୦ ଲକ୍ଷରୁ ଅଧିକ ଭକ୍ତ ଏଠାରେ ବୁଡ଼ ପକାଇ ସାରିଲେଣି।

ପ୍ରୟାଗରାଜର ତ୍ରିବେଣୀ ଘାଟରେ ଅମୃତ ସ୍ନାନକୁ ସୁରୁଖୁରୁରେ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ପୂର୍ବରୁ ଏଠାରେ ହୋଇଥିବା ଦଳାଚକଟାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ଅନେକ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ରହି ସ୍ଥିତିର ସମୀକ୍ଷା କରୁଛନ୍ତି।   

ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି। ତ୍ରିବେଣୀ ଘାଟରେ ଅତ୍ୟଧିକ ଭିଡ଼କୁ ରୋକିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସାଧୁସନ୍ଥ ଓ ଭକ୍ତଙ୍କ ଶାନ୍ତି ଶୃଙ୍ଖଳାରେ ମହାସ୍ନାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଘାଟରେ ବ୍ୟରିକେଡ ସଂଖ୍ୟା ବଢ଼ାଇ ଦିଆଯାଇଛି।

ଉତ୍ତରପ୍ରଦେଶର ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଏବେ ଶୁଦ୍ଧା ୩୫ କୋଟିରୁ ଅଧିକ ଲୋକ ମହାକୁମ୍ଭରେ ସାମିଲ ହୋଇ ସାରିଲେଣି। ଫେବ୍ରୁଆରି ୨୬ ତାରିଖ ଯାଏଁ କୁମ୍ଭ ମେଳା ଚାଲିବାକୁ ଥିବାବେଳେ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ମହାକୁମ୍ଭରେ ପୌଷ ଅମାବାସ୍ୟାରେ ମହାସ୍ନାନ ସମୟରେ ହୋଇଥିବା ଦଳାଚକଟାରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତ୍ରିବେଣୀ ଘାଟରେ ଲୋକଙ୍କ ଯିବାଆସିବାକୁ ସୁଗମ କରିବା ପାଇଁ ଭିଆଇପି ପ୍ରୋଟୋକଲକୁ ବନ୍ଦ କରାଯାଇଥିଲା।  

Tags: #MahaKumbhMela #TriveniSangam #BasantaPanchami #HolyBath #Prayagraj

LEAVE A REPLY

Please enter your comment!
Please enter your name here