ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡଗିରି ଯାତ୍ରାରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଯାତ୍ରା କମିଟି ଏ ନେଇ ଅବଗତ ଅଛନ୍ତି। ଗାଇଡଲାଇନ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ।

ଯାତ୍ରାରେ ଆଇଟମ ଡ୍ୟାନ୍ସ ନାଁରେ ପରିବେଷଣ କରାଯାଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ ବିଭିନ୍ନ ମହଲରେ ବିରୋଧ ହୋଇଆସୁଛି। କେବେ ନୃତ୍ୟ ପରିଷଣ କରୁଥିବା କଳାକାର ଦର୍ଶକଙ୍କ ଆକ୍ରମଣର ଶିକାର ହେଉଛନ୍ତି ତ, ତେକେ ଥାନାର ଦ୍ଵାରସ୍ଥ ହେଉଛନ୍ତି।

ଗତ କିଛି ବର୍ଷ ହେଲା ଖଣ୍ଡଗିରି ଯାତ୍ରାରେ ସୀମା ଟପୁଛି ଅଶ୍ଳୀଳ ନୃତ୍ୟ। ବିଭିନ୍ନ ମହଲରେ ଏହାକୁ କଡ଼ା ବିରୋଧ କରାଯିବା ସହ ରୋକିବା ପାଇଁ ଦାବି ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର।

ଏ ପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ ଓ ସମର୍ଥକ। ବାବୁ ସିଂଙ୍କ ନେତୃତ୍ଵରେ ମା’ ବାରଭୂଜାଙ୍କ ମନ୍ଦିରରେ ପୂଜା ହୋଇଛି ୧୦୦ଟି ଠେଙ୍ଗା। ଅଶ୍ଳୀଳ ନୃତ୍ୟ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଖଣ୍ଡଗିରି ଆଖପାଖ ୧୦ ଅଞ୍ଚଳର ଲୋକେ।

ବିଧାୟକ କହିଛନ୍ତି, “ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାକୁ ବାରଣ କରାଯାଇଛି। ଯଦି କେହି ଗାଇଡଲାଇନ ନ ମାନି ଅଶ୍ଳୀଳ ନୃତ୍ୟ ପରିବେଷଣ କରିବେ, ସେମାନଙ୍କ ପାଇଁ ଆମେ  ଶହେ ଠେଙ୍ଗା ପୂଜା କରିଛୁ।”

ସେ ଆହୁରି କହିଛନ୍ତି, ଆମ ସଂସ୍କୃତିରେ ଅପସଂସ୍କୃତି ମିଶି ଯାଇଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଆମ ସଂସ୍କୃତିକୁ ବଞ୍ଚାଇବା ଆମର ସମସ୍ତଙ୍କର ନୈତିକ ଦାୟିତ୍ଵ। ଯେଉଁମାନେ ଆମ ସଂସ୍କୃତିରେ ଅପସଂସ୍କୃତି ମିଶାଇବାକୁ ଅପଚେଷ୍ଟା କରିବେ, ପ୍ରଶ୍ରୟ ଦିଆଯିବ ନାହିଁ। ଯେଉଁ ଯାତ୍ରା ପାର୍ଟିମାନେ ଡାଇଡଲାଇନକୁ ନମାନି ଅଶ୍ଳୀଳ ନୃତ୍ୟ ପରିବେଷଣ କରାଇବେ, ସେହି ଯାତ୍ରା ପାର୍ଟିମାନଙ୍କୁ ଓଡ଼ିଶାରେ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯିବ ବୋଲି ବିଧାୟକ କହିଛନ୍ତି।

ତେବେ ଅପେକ୍ଷା ରହିଲା ଖଣ୍ଡଗିରି ଯାତ୍ରାରେ କଟକଣା ଭିତରେ ଯାତ୍ରା ପରିବେଷଣ କରାଯିବ ନା ପୁଣି ଦେଖିବାକୁ ମିଳିବ ଅଶ୍ଳୀତା।

Tags: #JatraPandal #OpenPandalPlay #OdishaGovt #vulgarity

LEAVE A REPLY

Please enter your comment!
Please enter your name here