ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍ସର ସେଲ୍ କୁହାଯାଏ। ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ବୋଲି ଡାକ୍ତର କୁହନ୍ତି।
ବିଶ୍ଵ କର୍କଟ ଦିବସ ଅବସରରେ ଏହି ରୋଗକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।
କ୍ୟାନ୍ସର କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ୧୦ଟି ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିତ ସଂକ୍ରମଣରୁ କର୍କଟ ରୋଗର ଉତ୍ପତ୍ତି ହୋଇଥାଏ।
କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। ରକ୍ତ କର୍କଟ, ମୁଣ୍ଡ ଓ ଗଳା କର୍କଟ, କୋଲୋରେକ୍ଟାଲ କର୍କଟ, ପ୍ରୋଷ୍ଟେଟ କର୍କଟ, ବୋନ କର୍କଟ, ସ୍ତନ କର୍କଟ, ବ୍ଲାଡର କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କର୍କଟ, ଫୁସଫୁସ କର୍କଟ, ସର୍ଭାଇକାଲ କର୍କଟ, ଆଖି କର୍କଟ, ମୁଖ ଗହ୍ଵର କର୍କଟ, ଓଭାରିଆନ କର୍କଟ, ପାନକ୍ରିଆଟିକ୍ କର୍କଟ ଏବଂ ଜିଭରେ କର୍କଟ ଆଦି ରୋଗରେ ଅଧିକାଂଶ ଲୋକ ପୀଡ଼ିତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି।
ତେବେ ସ୍ତନ କର୍କଟ ହେବାର କାରଣ କ’ଣ, ପ୍ରାରମ୍ଭିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି, ବଂଶଗତ କାରଣରୁ ସ୍ତନ କର୍କଟ ହୋଇଥାଏ କି, ସେ ବିଷୟରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WorldCancerDay #Cancer #UnitedByUnique #FightToCancer #BreastCancer #Cancer #Causes #Treatment #OdiaHealthTips #DoctorAdvice
















