ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଭକ୍ତ। ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ସୋମବାର ସନ୍ଧ୍ୟାରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ମଙ୍ଗଳବାର ମାଘ ସପ୍ତମୀ ପାଇଁ ତିନି ଠାକୁର ବାବା ତ୍ରିବେଣୀଶ୍ଵର, ବାବା ଐଶାନେଶ୍ଵର ଓ ବାବା ଦକ୍ଷିଣେଶ୍ଵର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଭୋର ୫ଟାରୁ ଏଠାରେ ଭକ୍ତମାନେ ବୁଡ଼ ପକାଇବା ଆରମ୍ଭ କରିଥିଲେ। ବୁଡ଼ ପକାଇବା ପରେ ସେମାନେ ଭଗବାନଙ୍କୁ ଖିରି ଭୋଗ ଅର୍ପଣ କରିଥିଲେ।  

ମାଘ ସପ୍ତମୀର ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପରମ୍ପରା ଅନୁସାରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ ସନ୍ଥମାନେ ମଧ୍ୟ ଏଠାରେ ବୁଡ଼ ପକାଇଥାନ୍ତି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ଭକ୍ତଙ୍କ ସୁବିଧା ନିମନ୍ତେ ଶୌଚାଳୟ ନିର୍ମାଣ ସହ ଗାଡ଼ି ପାର୍କିଂ ପାଇଁ ବନ୍ଦୋବସ୍ତ ହୋଇଥିଲା। ତେବେ ଏଠାରେ ଆଇନଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନେକ ପୋଲିସ ନିୟୋଜିତ ହୋଇଛନ୍ତି। 

Tags: #MaghaSaptami #Devotees #Konark #ChandrabhagaBeach #HolyDip #Culture #Tradition

LEAVE A REPLY

Please enter your comment!
Please enter your name here