ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2025/02/Nijukti-Mela-1024x749.jpg)
ଓଡ଼ିଶାର ୬,୩୯୦ ଜଣ ଯୁବକ ଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ଭୁବନେଶ୍ୱରରେ ଏକ ବିଶେଷ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ଏହି ୬,୩୯୦ ଜଣ ଯୁବକ ଯୁବତୀଙ୍କୁ ରାଜ୍ୟର ୯ଟି ବିଭାଗରେ ନିଯୁକ୍ତି ମିଳିଛି। ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାରେ ସେମାନେ କୃତକାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ଚୟନ ହୋଇଥିଲେ।
“ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ। ଆଜି ଏକକାଳୀନ ୬ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯିବା ଓଡ଼ିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇ ରହିବ। ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ନିଯୁକ୍ତି ମେଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ପ୍ରଧାନଶିକ୍ଷକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧,୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ସାମିଲ ରହିଛନ୍ତି।
ସେହପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ମୋଟ୍ ୬୨ ଜଣ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୩୪ ଜଣ ହିସାବରକ୍ଷକ ଓ ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବାବେଳେ ୨୮ ଜଣ କନିଷ୍ଠ ସହାୟକ, କନିଷ୍ଠ ହିସାବରକ୍ଷକ ଓ ଅମିନ ପଦବୀର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଅନ୍ୟପଟେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୨,୮୭୮ ଜଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧୦୪ ଜଣ ନବନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
ଏଠାରେ ଜଳସମ୍ପଦ ବିଭାଗ ଅଧୀନରେ ୫୭ ଜଣ ଅମିନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୭ ଜଣ ନବ ନିଯୁକ୍ତ ଯୋଗାଣ ନୀରିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଅର୍ଥ ବିଭାଗ ଅଧୀନରେ ମୋଟ୍ ୧୩୦ ଜଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ୨୩୨ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୋଟ୍ ୧୨୩ ଜଣ ସହକାରୀ ତାଲିମ୍ ଅଧୁକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
ଏହି ନିଯୁକ୍ତି ମେଳା ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।
Tags: #EmploymentFair #AppointmentLetter #GovtJobs #CMmohanCharanMajhi #Bhubaneswar #Odisha