ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2025/02/BJP-Govt-in-Delhi-1024x597.jpg)
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛି ବିଜେପି। ଆମ ଆଦମୀ ପାର୍ଟିକୁ ହଟାଇ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ଦିଲ୍ଲୀର ୭୦ରୁ ଆସନରୁ ଦଳ ୪୮ଟି ଆସନ ଅକ୍ତିଆର କରିଛି। ଅନ୍ୟପଟେ ଆମ ଆଦମୀ ପାର୍ଟି କେବଳ ୨୨ଟି ଆସନରେ ସୀମିତ ରହିଯାଇଥିବାବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ।
“ଦିଲ୍ଲୀର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ବିଜେପିର ଐତିହାସିକ ବିଜୟ ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ଆପଣମାନଙ୍କ ଆଶୀର୍ବାଦ ଏବଂ ଭଲପାଇବା ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ କୃତଜ୍ଞ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏହାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି ମଉକା ଛାଡ଼ିବୁ ନାହିଁ। ବିକଶିତ ଭାରତ ଗଠନରେ ଦିଲ୍ଲୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଅନ୍ୟପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ନିଜର ପ୍ରଥମ ପ୍ରତିକ୍ରିୟାରେ ସେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବନିମ୍ରତା ସହ ସ୍ୱୀକାର କରୁଥିବା କହିଛନ୍ତି। ଏହି ବିଜୟ ପାଇଁ ସେ ବିଜେପିକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଆମ ଆଦମୀ ପାର୍ଟି ଏକ ଭଲ ବିରୋଧୀର ଭୂମିକା ଗ୍ରହଣ କରିବା ସହ ସବୁବେଳେ ଦିଲ୍ଲୀର ବିକାଶ ପାଇଁ କାମ କରିବ ବୋଲି କେଜ୍ରିୱାଲ କହିଛନ୍ତି।
କାମ କଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି
ଦିଲ୍ଲୀବାସୀଙ୍କ ପାଇଁ ନିର୍ବାଚନ ପୂର୍ବରୁ ବିଜେପି ଏକାଧିକ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ମହିଳାଙ୍କ ପାଇଁ ମାସିକ ୨୫୦୦ ଟଙ୍କାର ସହାୟତା, ୫୦୦ ଟଙ୍କାରେ ସିଲିଣ୍ଡର, ଗର୍ଭବତୀ ମହିଳାଙ୍କ ପାଇଁ ୨୧,୦୦୦ ଟଙ୍କାର ସହାୟତା ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଭଳି ଘୋଷଣା ସାମିଲ ଥିଲା। ଏହି ସବୁ ପ୍ରତିଶ୍ରୁତି ଦଳର ବିଜୟରେ ବହୁତ ସହାୟକ ହୋଇଛି।
‘ଆପ୍’ ବିରୋଧରେ ଆକ୍ରମଣାତ୍ମକ ରଣନୀତି
୨୦୧୫ ଏବଂ ୨୦୨୦ରେ ହୋଇଥିବା ନିର୍ବାଚନରେ ଆମ ଆଦମୀ ପାର୍ଟି ଜବରଦସ୍ତ ବିଜୟ ହାସଲ କରିଥିଲା। ହେଲେ ଏଥର ବିଜେପି ଆକ୍ରମଣାତ୍ମକ ପ୍ରଚାର ସହ ପଡ଼ିଆକୁ ଓହ୍ଲାଇଥିଲା। ଆମ ଆଦମୀ ପାର୍ଟି ସମୟରେ ହୋଇଥିବା ଦୁର୍ନୀତିକୁ ଦଳ ପ୍ରମୁଖ ମୁଦ୍ଦା କରିଥିଲା। ଏହାସହ ଆମ ଆଦମୀ ପାର୍ଟିର ବିକଳ୍ପ ଭାବେ ନିଜକୁ ପ୍ରଦର୍ଶିତ କରାଇବାରେ ବିଜେପି ସଫଳ ହୋଇଥିଲା। ଏହି ସବୁ ରଣନୀତି ଦଳକୁ ବିଜୟୀ କରାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ଦିଲ୍ଲୀରେ ବିଜେପିର ଉନ୍ନତ ପ୍ରଦର୍ଶନକୁ ନେଇ ଦଳୀୟ ନେତାମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଉଛି। ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବାସରକାରକୁ ପରାଜିତ କରିବା ପରେ ବିଜେପିର ଏହା ଅନ୍ୟତମ ବଡ଼ ବିଜୟ ବୋଲି କୁହାଯାଉଛି।
Tags: #DelhiAssemblyElection2025 #BJP #AAP #Politics