ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟିରୁ ଅଧିକ ଭକ୍ତ ମହାକୁମ୍ଭ ମେଳାକୁ ଆସି ସାରିଲେଣି। ପ୍ରବଳ ଲୋକଙ୍କ ଆଗମନ ଯୋଗୁଁ ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ଦେଖାଯାଇଛି। ପ୍ରମୁଖ ରାସ୍ତାଗୁଡ଼ିକରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗିଛି।  ଏନେଇ ଲୋକଙ୍କୁ ବହୁତ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି।

ଦିନକ ପରେ ରହିଛି ମାଘ ପୂର୍ଣ୍ଣିମା। ଏହି ଅବସରରେ ତ୍ରିବେଶୀ ସଙ୍ଗମରେ ମହାସ୍ନାନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି। ଟ୍ରାଫିକ ଜାମ କାରଣରୁ ତ୍ରିବେଣୀ ସଂଗମରେ ପହଞ୍ଚି ପାରୁନାହାନ୍ତି ଭକ୍ତ। ରାସ୍ତାରେ ପଛକୁ ପଛ ଗାଡ଼ି ଲାଗିରହିଛି।  

ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜର ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏହାସହ ପ୍ରୟାଗରାଜର ଆଖପାଖ ଜିଲ୍ଲା ବାରଣାସୀ, କାନପୁର, ଫତେପୁର, କଟନି, ସତନା ଏବଂ ରେୱାର ଷ୍ଟେସନଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ଗହଳିରେ ପୂର୍ଣ୍ଣ। ଷ୍ଟେସନରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ମିଳୁନାହିଁ।

ଯେଉଁମାନେ ମହାକୁମ୍ଭକୁ ଟ୍ରେନରେ ଯାତ୍ରା କରିୁଛନ୍ତି ସେମାନଙ୍କୁ ଟ୍ରେନର ଯାତ୍ରୀ ବଗିରେ ସିଟ୍ ମିଳୁନି।  ସେମାନେ ବାଧ୍ୟ ଲଗେଜ୍ ବଗିରେ ଯାତ୍ରା କରୁଛନ୍ତି । ଯାହାଦ୍ୱାରା ରେଳ ଅଧିକାରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Tags: #Mahakumbh2025 #Devotees #TrafficJam #Railways #Prayagraj

Comment