ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2023/07/N-Biren-Singh-e1689841709237-1024x731.png)
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସୋମବାରଠାରୁ ମଣିପୁର ବିଧାନସଭାରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ ରଦ୍ଦ କରାଯାଇଛି। ରାଜ୍ୟରେ ୨ ବର୍ଷ ଧରି ଚାଲିଥିବା ମୈତେଇ-କୁକି ସମ୍ପ୍ରଦାୟ ସଂଘର୍ଷ ମଧ୍ୟରେ ଏହି ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି।
ଏନ ବିରେନ୍ ସିଂହ ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିର ଶାହଙ୍କୁ ସାକ୍ଷତ କରିଥିଲେ। ଏହାପରେ ସେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ମଣିପୁର ବିଧାନସଭାର ବଜେଟ୍ ଅଧିବେଶନକୁ ବାତିଲ୍ କରିଥିଲେ।
ଏହି ବଜେଟ ଅଧିବେଶନରେ କଂଗ୍ରେସ ଏନ ବୀରେନ ସିଂହ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଯୋଜନା କରିଥିଲା। ରାଜ୍ୟରେ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହୋଇ ଆସୁଥିଲା। କନରାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ମଧ୍ୟ ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା।
ଅନ୍ୟପଟେ କିଛି ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ୍ ଧରିଥିଲେ। ଅନାସ୍ଥା ପ୍ରସ୍ତାବ ଭୋଟିଂରେ ସେମାନେ ଦଳ ବିରୋଧରେ ଭୋଟ ଦେବାର ସମ୍ଭାବନ। ଥିଲା। ଏପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Tags: #NBirenSingh #ManipurCM #ManipurAssembly #BJP #Politics