ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଚାଲିଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୫’। ସୋମବାର ବେଙ୍ଗାଳୁରୁର ୟେଲେହଙ୍କା ଏୟାର ବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ସାମରିକ ଓ ବେସାମରିକ ବିମାନ ତଥା ପ୍ରତିରକ୍ଷା ଉପକରଣ ଆଦିର ପ୍ରଦର୍ଶନ କରାଯାଉଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହାର ଆୟୋଜନ ହେଉଛି।
ଏଥିରେ ବିଶ୍ଵର ୧୦୦ଟି ଦେଶର ପ୍ରାୟ ୯୦୦ରୁ ଅଧିକ କମ୍ପାନି ଏହି ଏୟାର ସୋ’ରେ ଭାଗ ନେଉଛନ୍ତି। ଏରୋ ସ୍ପେସ୍ କ୍ଷେତ୍ରରେ କାମ କରୁଥିବା ଭାରତୀୟ ଏମଏସଏମଇ ଓ ଷ୍ଟାର୍ଟଅପମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ତଥା ବେସାମରିକ କ୍ଷେତ୍ରର ବିଭିନ୍ନ କମ୍ପାନି ଏଠାରେ କାରବାର ତଥା ଅନେକ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଯୋଜନା ରଖିଛନ୍ତି।
ଚଳିତଥର ଏହି କାର୍ଯ୍ୟକ୍ରମ ୧୫ତମ ସଂସ୍କରଣରେ ପହଞ୍ଚିଥିବାବେଳେ ମୋଟ୍ ୪୨ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ଅନୁଷ୍ଠିତ ହେଉଛି। ଳିତବର୍ଷର ଥିମ୍ ରହିଛି ‘ରନ-ୱେ ଟୁ ଏ ବିଲିୟନ୍ ଅପରଚ୍ୟୁନିଟି’। ଏଥର ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ଦୃଷ୍ଟିକୋଣକୁ ପ୍ରଦର୍ଶନୀରେ ଗୁରୁତ୍ଵ ଦିଆଯାଉଛି।
ରାଷ୍ଟ୍ରୀୟ ବିମାନ କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ(ହାଲ) ପକ୍ଷରୁ ବିଦେଶକୁ ରପ୍ତାନି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ଵଦେଶୀ ଯୁଦ୍ଧ ବିମାନ ତେଜସ୍, ଏଚଟିଟି-୪୦, ଓ ବିଭିନ୍ନ ପ୍ରକାରର ହେଲିକପ୍ଟର ପ୍ରଦର୍ଶନ କରାଯାଉଛି। ଏହାସହ ପଞ୍ଚମ ପିଢ଼ିର ଲଢୁଆ ବିମାନ ‘ଆମକା’ର ମଡେଲକୁ ମଧ୍ୟ ଏଠାରେ ଲଞ୍ଚ କରାଯାଇଛି।
ଏରୋ ଇଣ୍ଡିଆ ଉଦଘାଟନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶରେ ଯୁଦ୍ଧ ବିମାନ ଓ ହେଲିକେପ୍ଟର ମାଧ୍ୟମରେ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରାଯାଇଛି। ପ୍ରଥମଥର ପାଇଁ ଗୋଟିଏ କାର୍ଯ୍ୟକ୍ରମରେ ଆମେରିକା ଓ ରୁଷ ନିଜର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଲଢୁଆ ବିମାନ ପଠାଇଛନ୍ତି।
Tags: #AeroIndia2025 #AirShow #DefenceMinistry #IndianAirForce #Bengaluru #India

















