ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ସଭାପତି ନିଯୁକ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ମଙ୍ଗଳବାର ଦିନ ଏ ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶରତ ପଟ୍ଟନାୟକ ଇସ୍ତଫା ଦେବା ପରେ ଖାଲି ପଡ଼ିଥିଲା ପିସିସି ସଭାପତି ଆସନ। ସେବେଠାରୁ ଓଡ଼ିଶାରେ ମୁରବୀ ଶୂନ୍ୟ ହୋଇପଡ଼ିଥିଲା କଂଗ୍ରେସ। ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ଏହି ସ୍ଥାନଟି କିଏ ପୂରଣ କରିବେ ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଥିଲା। ଏହି ରେସରେ ସବୁଠାରୁ ଆଗରେ ରହିଥିଲା ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁ।
ଅଭିଜ୍ଞତା ଏବଂ ବରିଷ୍ଠତା ଦୃଷ୍ଟିରୁ ହାଇକମାଣ୍ଡ ତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ନିଜ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନୂଆ ଓପିସିସି ସଭାପତି ଭକ୍ତ ଚରଣ ଦାସ।
ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା ଭକ୍ତ ଚରଣ ଦାସଙ୍କ ରାଜନୈତିକ ଯାତ୍ରା। କଳାହାଣ୍ଡି ଜିଲ୍ଲା ଭାବାନୀବାଟଣାରେ ୧୯୫୯ ମସିହା ଜୁନ ୩ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ସେ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଥିଲେ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।
ଭକ୍ତ ଚରଣ ଦାସ ଥରେ ବିଧାୟକ ଏବଂ ୩ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ୧୯୮୫ ମସିହାରେ ଜନତା ପାର୍ଟି ଟିକେଟରେ ସେ ଭବାନୀପାଟଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୯, ୧୯୯୬ ଜନତା ପାର୍ଟି ଏବଂ ୨୦୦୯ରେ କଂଗ୍ରେସ ଟିକେଟରେ ସେ ସାଂସଦ ନିର୍ବାଚିତ ହୋଇଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇଛନ୍ତି।
ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ଉପମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ, ବିଭିନ୍ନ ରାଜ୍ୟର କଂଗ୍ରେସ ସଭାରୀ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି ଭକ୍ତ ଚରଣ ଦାସ। ଓପିସିସି ନିଯୁକ୍ତି ପୂର୍ବରୁ ସେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିଲେ।
Tags: #Politics #OdishaPolitics #BhaktaCharanDas #Congress #OPCC #AICC #OPCCPresident #Odisha