ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପୀଠରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା। ମଙ୍ଗଳବାର ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ମହିମା ଗାଦିରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି। ୩ ଦିନ ଧରି ଏହି ମେଳା ଚାଲିବ।

ଏହି ମେଳାରେ ମହିମା ସାଧୁଙ୍କ ସମେତ ୧୦ ଲକ୍ଷ ଭକ୍ତଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ଗାଦି ମନ୍ଦିର, ଧୁନି ମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ଝାଡ଼ ଦୀପ ପ୍ରଜ୍ଜ୍ୱଳନ ପାଇଁ ବୃହତ୍ ଝାଡ଼ ଏବଂ ମହଣ ମହଣ ଘିଅ ପ୍ରସ୍ତୁତ ହୋଇ ରହିଛି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସମୟରେ ଝାଡ଼ ଦୀପ ଉଠିବ।

ବକଳ ସମାଜ ମୁଖ୍ୟ ଗାଦି ମନ୍ଦିରରେ ନୀତିକାନ୍ତି କରିବେ ଏବଂ କୌପୁନି ସମାଜ ପାଇଁ ଭଜନ ମଣ୍ଡପ ନିକଟରେ ଅସ୍ଥାୟୀ ପୂଜା ପାଠ କରିବେ। ଆଜି ସକାଳୁ ସକାଳୁ ଯୋରନ୍ଦା ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋରନ୍ଦା ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ଏଠାରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

Tags: #JorandaMela #JorandaPitha #MaghaMela #Culture #Dhenkanal

Comment