ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କଥା ସାହିତ୍ୟର ଟ୍ରେଣ୍ଡସେଟର ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ’ ତରଫରୁ ୨୦୨୫ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି।

ଚଳିତ ବର୍ଷ ଏକାଦଶ ‘ଜଗଦୀଶ କଥା ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଫଳକ ଓ ଉପଢ଼ୌକନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’। ଚଳିତ ବର୍ଷ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଗାଳ୍ପିକା ସୁନନ୍ଦା ପ୍ରଧାନ। ପୁରସ୍କାର ବାବଦକୁ ତାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଏହି ସମ୍ମାନ ଗତ ୨୦୧୪ ମସିହାରୁ ପ୍ରଦାନ କରାଯାଇଆସୁଛି।

ଫେବ୍ରୁଆରି ୧୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିରଠାରେ ଆୟୋଜିତ ହେବାକୁ ଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ବିଶିଷ୍ଟ ସମାଲୋଚକ ତଥା ଗାଳ୍ପିକ ପ୍ରଫେସର ଗୁରୁଚରଣ ବେହେରା ଏବଂ ସମୀକ୍ଷକ ତଥା ଅନୁବାଦକ ହିମାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଏହି ଉତ୍ସବରେ ଯୋଗଦେବାକୁ ଟ୍ରଷ୍ଟର ଅଧ୍ୟକ୍ଷା ଡକ୍ଟର ସରୋଜିନୀ ସାହୁ ଏବଂ ସମ୍ପାଦକ ସରୋଜ ବଳ ଅନୁରୋଧ କରିଛନ୍ତି।

Tags: #JagdishKathaSamman #JagdishYuvaSamman #PabitraPanigrahi #SunandaPradhan #Literature

Comment