ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁଶୁଡ଼ୁଛି କି ବିଜେଡି ଗଡ଼, କାହିଁକି ଛାନିଆ ହେଲେଣି ଦଳର ମୁଖିଆ?

୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଛି ଦଳୀୟ ସଂଗଠନ। ବିଜେଡି ନେତା ଏବଂ କର୍ମୀ ଏବେ ବିଜେପି ମୁହାଁ। ଏହାକୁ ନେଇ ଚିନ୍ତାରେ ଅଛନ୍ତି ବିଜେଡି ମୁଖିଆ।

ବିଜେଡି ଏବେ ଟଳମଳ ସ୍ଥିତିରେ ରହିଥିବାବେଳେ ଦଳ ଭିତରେ ନୀଇତି ଚାଲିଛି ଟଣା ଓଟରା। ଦଳ ଛାଡ଼ି ଅନେକ ବିଜେଡି ନେତା ସାମିଲ ହେଲେଣି ବିଜେପିରେ। ଦଳ ଡେଇଁବାକୁ ଅନେକ ପ୍ରସ୍ତୁତ। ଏହାରି ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ସନାତନ ମହାକୁଡ଼ଙ୍କୁ ଯେଉଁଭଳି ପ୍ରଶ୍ନ କରିଛନ୍ତି ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ଆଜି, ଗୁରୁବାର ଦିନ ବିଧାନସଭା ବିଜେଟ ଅଧିବେଶନରେ ଯୋଗ ଦେବାକୁ ଆସିଥିଲେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ଛିଡ଼ା ହୋଇଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖି ଅଟକି ଥିଲେ ବିଜେଡି ସୁପ୍ରିମୋ।

ସନାତନ ମହାକୁଡ଼ ନମସ୍କାର କରିବା ସମୟରେ ନବୀନ ସିଧା ସିଧା ପ୍ରଶ୍ନ କରିଥିଲେ, “କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନଥିଲ”।

ଉତ୍ତରରେ ସନାତନ ମହାକୁଡ଼ କହିଥିଲେ, “ଦେହ ଭଲନଥିଲା”।

ବିଧାୟକ ମହାକୁଡ଼ଙ୍କ ଉତ୍ତର ଶୁଣି ବିରକ୍ତି ପ୍ରକାଶ କରିବା ସହ ନବୀନ କହିଥିଲେ, “ଦେହ ଭଲ ନଥିଲା, ନା ବିଜେପି ଆଡ଼କୁ ମୁହାଁଉଛନ୍ତି କି?”

ବିଧାନସଭା ପରିସରରେ ଦଳୀୟ ବିଧାୟକଙ୍କୁ ସର୍ବସମ୍ମୁଖରେ ନବୀନଙ୍କର ଏହି ପ୍ରଶ୍ନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି।

ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି, ବୁଧବାର ଦିନ ବସିଥିଲା ବିଜେଡି ବିଧାୟକ ଦଳର ବୈଠକ। ତେବେ ବୈଠକରେ ଅନୁପସ୍ଥିତ ଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଏହାକୁ ନେଇ ବିଧାନସଭା ପରିସରରେ ଗୁରୁବାର ଦିନ ଏହିଭଳି ପ୍ରଶ୍ନ କରିଥିଲେ ନବୀନ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ସେ କହିଛନ୍ତି, “ଯେଉଁ ଦଳରୁ ଟିକେଟ ପାଇ ମୁଁ ବିଧାୟକ ହେଇଛି ସେ ଦଳ କାହିଁକି ଛାଡ଼ିବି? “ମୁଁ ବିଜେଡିରେ ଥିଲି, ଅଛି ଏବଂ ଆଗକୁ ରହିବି”।

କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ସନାତନ ମହାକୁଡ଼ଙ୍କୁ କେକ୍ ଖୁଆଇବା ସହ ତାଙ୍କ ମୁହଁରେ ବୋଳି ଥିଲେ। ସନାତନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେକ୍ ଖୁଆଇଥିଲେ। ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ସନାତନ ମହାକୁଡ଼ ବିଜେପି ପ୍ରତି ଢଳୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା।

ଏହାକୁ ନେଇ ମଧ୍ୟ ଆଜି ପ୍ରତିକ୍ରିୟା ରଖିଛନ୍ତି ସନାତନ। ସେ କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା କରିବା ଆମର ଅଧିକାର। ସେହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ପଡ଼ୁଛି। କେବଳ ମୁଁ ନୁହେଁ ଦଳର ଆଉ ଦୁଇ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ବିଜେପିକୁ ଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗତ ୨୦୨୪ ନଭେମ୍ବର ୫ ତାରିଖରେ ଗତ ବିଜେପି ବିଧାୟକ ସରୋଜ ପାଢ଼ୀ କହିଥିଲେ, ବିଜେପି ସମ୍ପର୍କରେ ବିଜେଡିର ୨୭ ଜଣ ବିଧାୟକ ଯୋଗାଯୋଗରେ ରହିଛନ୍ତି। ବିଜେଡିର ଭବିଷ୍ୟତ ନଥିବାରୁ ସେମାନେ ବିଜେପିକୁ ଆସିବେ। କେବଳ ବିଧାୟକ ନୁହନ୍ତି ରାଜ୍ୟସଭା ସାଂସଦ ମଧ୍ୟ ବିଜେପିରେ ମିଶିବେ ବୋଲି ସେ କହିଥିଲେ।

ଗତ ୨୦୨୪ ସେପ୍ଟେମ୍ବର ୬ ତାରିଖରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଏହା ପୂର୍ବରୁ ଗତ ୨୦୨୪ ଜୁଲାଇ ୩୧ ତାରିଖରେ  ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। ସେ ୨୦୨୪ ଅଗଷ୍ଟ ୧ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ।

୨୦୨୪ ସାଧାରଣ ନର୍ବାଚନରେ ବିଜେଡିର ପରାଜୟ ପରେ ଅନେକ ନେତା ଏବଂ କର୍ମୀ ବିଜେପି ମୁହାଁ ହେଉଥିବାରୁ ବିଜେଡିର ସାଂଗଠନିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଛି। ବେଳେ ଥାଉ ଥାଉ ଘର ନସଜାଡ଼ିଲେ ସବୁ ହାତ ଛଡ଼ା ହୋଇଯିବ ବୋଲି କହୁଛନ୍ତି ରାଜନୀତି ପଣ୍ଡିତମାନେ।

Tags: #Politics #OdishaPolitics #BJD #BPJ #NaveenPatnaik #SanatanMahakud #Odisha

LEAVE A REPLY

Please enter your comment!
Please enter your name here