ଓଡ଼ିଶାଲାଇଭ୍ ବ୍ୟୁରୋ

ରାସାୟନିକ ରଙ୍ଗ ନୁହେଁ ପ୍ରାକୃତିକ ରଙ୍ଗ ସହ ସୁରକ୍ଷିତ ହୋଲିବା, ସମସ୍ତଙ୍କ ମୁହଁରେ ହସ ଭରିବା। ଏହି ଲକ୍ଷ୍ୟ ନେଇ ଉନ୍ମୁକ୍ତ ଫାଉଣ୍ଡେସନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି

ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ମୁକ୍ତ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ‘ହୋଲି କର୍ମଶାଳା’ ଆୟୋଜନ କରାଯାଉଛି। ଚଳିତ ଥର ଏହି କର୍ମଶାଳା ଭୁବନେଶ୍ଵର ବରମୁଣ୍ଡାସ୍ଥିତ ମହାନଗର ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ କର୍ମଶାଳାରେ ଏକ ହଜାରରୁ ଅଧିକ ସ୍କୁଲ ପିଲାଙ୍କୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ଗତ ସାତ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର ପିଲା ପ୍ରାକୃତିକ ହୋଲି ପ୍ରସ୍ତୁତ ପାଇଁ ପ୍ରଶିକ୍ଷଣ ନେଇଛନ୍ତି।

ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିବାର କୌଶଳ ଶିଖିବା ପରେ ସେହି ପିଲାମାନେ ନିଜେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ହୋଲି ଖେଳିବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବେ। ଏହି ପ୍ରଶିକ୍ଷଣ କର୍ମଶାଳାରେ ପିଲାମାନଙ୍କୁ କନଫ୍ଲୋର, ହଳଦୀ ଗୁଣ୍ଡ, ବିଟ୍ ରୁଟ୍ ଏବଂ ପାଳଙ୍ଗ ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରି ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ପ୍ରସ୍ତୁତ କରିବାର କୌଶଳ ଶିଖା ଯାଉଛି।

ଏହି କର୍ମଶାଳାଗୁଡ଼ିକ ବିଜ୍ଞାନ, ପରମ୍ପରା ଏବଂ ଉତ୍ସବର ମଜାକୁ ଏକାଠି କରିଥାଏ। ଏହା ପିଲାମାନଙ୍କୁ ହୋଲି ସହ ଉଦ୍ଭିଦ ଓ ରସାୟନ ବିଜ୍ଞାନ ଏବଂ ପରିବେଶଗତ ଦାୟିତ୍ୱର ଏକ ଭଲ ଅନୁଭୂତି ଦେଇଥାଏ।

“ଉନ୍ମୁକ୍ତ ଫାଉଣ୍ଡେସନର ଏହି କର୍ମଶାଳା ମତେ ହୋଲିକୁ ଏକ ନୂଆ ଢଙ୍ଗରେ ଦେଖିବାକୁ ସୁଯୋଗ ଦେଇଛି। ହୋଲିରେ ବ୍ୟବହାର ହେଉଥିବା ରାସାୟନିକ ରଙ୍ଗର କୁପ୍ରଭାବ ସମ୍ପର୍କରେ ଆମେ ଏଠାରେ ସଚେତନ ହୋଇଛୁ। ଏହା ପିଲାମାନଙ୍କ ଜୀବନ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ। ସେମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଲିବାକୁ ଉତ୍ସାହିତ ହେବେ”, କହିଛନ୍ତି ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ।

“ପିଲାମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବାର ଆଗ୍ରହ ପ୍ରକାଶ କରିବା ଆମକୁ ଉତ୍ସାହିତ କରୁଛି। ସେମାନଙ୍କୁ ପ୍ରାକୃତିକ ହୋଲି ରଙ୍ଗ ପ୍ରସ୍ତୁତି କରିବାର ପ୍ରଶିକ୍ଷଣ ଦେଇ ଆମକୁ ଭଲ ଲାଗୁଛି। ଏ ବର୍ଷର ଏହି କର୍ମଶାଳାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସ୍ଵୀକୃତି ମିଳିଥିଲା। ଆମର ସବୁ ସ୍ଵେଚ୍ଛାସେବୀମାନେ ଏଥିରୁ ଏକ ନିଆରା ଅନୁଭୂତି ପାଇଛନ୍ତି”, କହିଛନ୍ତି ଉନ୍ମୁକ୍ତ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ଵେତା।

ଖଣ୍ଡଗିରିର ସରକାରୀ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀ କହିଛନ୍ତି, “ମୁଁ ଜାଣି ନଥିଲି ଯେ, ଆମେ ବ୍ୟବହାର କରୁଥିବା ରାସାୟନିକ ହୋଲି ରଙ୍ଗଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି। ଏହା ଆମକୁ ଅସୁସ୍ଥ କରାଇବା ସହ ଆମ ପ୍ରିୟଜନଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି। ଏହି କର୍ମଶାଳାରେ ପ୍ରାକୃତିକ ଉପାୟରେ ନିଜ ପାଇଁ ରଙ୍ଗ ପ୍ରସ୍ତୁତ କରିବା ଶିଖିଲୁ। ଏବେଠାରୁ ମୁଁ ନିଜେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ହୋଲି ଖେଳିବି ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବି।”

Tags: #NatuaralHoliColor #SustainableHoliColors #ColorMakingTraining #UnmuktaFoundation #Bhubaneswar

LEAVE A REPLY

Please enter your comment!
Please enter your name here