ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଦିଲ୍ଲୀରେ ଚାଲିବ ରେଖାଙ୍କ ସରକାର। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପରବେଶ ବର୍ମା। ରେଖାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି ଆଉ ପାଞ୍ଚ ନେତା।
ରାମଲୀଳା ମଇଦାନଠାରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ନୂଆ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ପାଞ୍ଚ ଜଣ ସଦସ୍ୟ। ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, ରବିନ୍ଦର ଇନ୍ଦେରାଜ, କପିଲ ମିଶ୍ରା ଏବଂ ପଙ୍କଜ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ନେତୃତ୍ୱାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ଦଳର ଶୀର୍ଷ ନେତାମାନେ ଯୋଗ ଦେଇଥିଲେ।
ନୂଆ ମୁଖିଆଙ୍କ ନୂଆ ଟିମ୍
ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା ହାତରେ ଅର୍ଥ ବିଭାଗ
ପରବେଶ ସାହିବ ସିଂହ ବର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ନେଇଛନ୍ତି। ଏହା ସହ ସେ ଅର୍ଥମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମାତ୍ ଦେଇଥିଲେ। ବିଜେପିର ଜଣେ ଟାଣୁ ତଥା ଅଭିଜ୍ଞ ରାଜନେତା। ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂହ ବର୍ମାଙ୍କ ପୁଅ।
୨୦୧୩ ମସିହା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରବେଶ ବର୍ମା ମେହରୋଲି ଆସନରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଦିଲ୍ଲୀ ଆସନରୁ ଲଗାତର ଦୁଇଥର ବିଜୟୀ ହୋଇଥିଲେ।
ଆଶିଷ ସୁଦଙ୍କୁ ଶିକ୍ଷା ବିଭାଗ
ଦିଲ୍ଲୀର ନୂଆ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିବା ଆଶିଷ ସୁଦ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜନକପୁରୀ ଆସନରୁ ବିଜୟୀ ହୋଇଛନ୍ତି ଆଶିଷ ସୁଦ। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ ଆଶିଷ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ଣ୍ଣକାଳୀନ କର୍ମୀ ମଧ୍ୟ ରହିଆସିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ମଞ୍ଜିନ୍ଦର ସିଂହ ସିରସା
ମଞ୍ଜିନ୍ଦର ସିଂହ ସିରସା ଗୁରୁବାର ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ୨୦୨୦ ବିଧାନସଭା ନିର୍ବାଚନର ପରାଜୟ ପରେ ସିରସା ରାଜୌରୀ ଗାର୍ଡେନ ଆସନରୁ ଚଳିତ ଥର ନିର୍ବାଚିତ ହୋଇଛନ୍ତି।
ରବିନ୍ଦର ଇନ୍ଦ୍ରାଜ ସିଂହଙ୍କ ହାତକୁ ଗଲା ଗୃହ ବିଭାଗ
ରବିନ୍ଦର ଇନ୍ଦ୍ରାଜ ସିଂହ ଦିଲ୍ଲୀର ଗୃହମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରୋହିଣୀ ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ରବିନ୍ଦର। ଅକାଳି ଦଳରୁ ଆରମ୍ଭ ହୋଇଥିଲା ରବିନ୍ଦର ସିଂହଙ୍କର ରାଜନୈତିକ କ୍ୟାରିୟର। ପରେ ସେ ବିଜେପିରେ ଯୋଗ ଦେଇଥିଲେ।
ପରିବହନ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଲେ କପିଲ ମିଶ୍ରା
କପିଲ ମିଶ୍ରା ଦିଲ୍ଲୀର ଜଣେ ବରିଷ୍ଠ ରାଜନେତା। ସେ ବିଜେପିର ଉପାଧ୍ୟକ୍ଷ ଅଛନ୍ତି। କରାୱାଲ ନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କପିଲ। ଗୁରୁବାର ଦିନ ସେ ପରିବହନ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କପିଲ ମିଶ୍ରା ଆମ ଆଦମୀ ପାର୍ଟିରୁ ବହିଷ୍କାର ହେବା ପରେ ବିଜେପିରେ ଯୋଗ ଦେଇଥିଲେ। ସେ ଆପ ସରକାରରେ ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ପଙ୍କଜ କୁମାର ସିଂହ ହେଲେ ନଗର ଉନ୍ନୟନ ମନ୍ତ୍ରୀ
ଦିଲ୍ଲୀର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଉନ୍ତି ପଙ୍କଜ କୁମାର ସିଂହ। ବିକାଶପୁରୀ ଆସନରୁ ସେ ବିଧାୟକ ନିର୍ବାଚିତ ହୋଇଛନ୍ତି। ପଙ୍କଜ ସିଂହଙ୍କ ପିତା ମୋହନ ସିଂହ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ଜଣେ ନେତା ଥିଲେ। ଦନ୍ତ ଚିକିତ୍ସକ ଭାବେ କ୍ୟାରିୟର ଆରମ୍ଭ କରିଥିବା ପଙ୍କଜ କୁମାର ପରବର୍ତ୍ତୀ ସମୟରେ ରାଜନୀତିକୁ ଆସିଥିଲେ। ୨୦୨୫ ନିର୍ବାଚନରେ ଆମ ଆଦମୀ ପାର୍ଟିର ମହିନ୍ଦର ଯାଦବଙ୍କୁ ସେ ପ୍ରାୟ ୧୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
ଶପଥ ଗ୍ରହଣ କରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।
Tags: #DelhiCM #RekhaGupta #ParveshVerma #BJP #DelhiAssemblyElection2025 #Politics #DelhiPolitics