ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକୁମ୍ଭ ଜଳକୁ ଶୁଦ୍ଧ କରିବାରେ ବିଫଳତା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଏନଜିଟିର ଭର୍ସନା। ମଇଳା ପାଣିରେ ବୁଡ଼ ପକାଇଲେଣି ୫୦ କୋଟିରୁ ଅଧିକ ଭକ୍ତ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ସାଧୁ ସନ୍ଥଙ୍କ ଭିଡ଼ ଜମୁଛି। ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ଆସ୍ଥାର ବୁଡ଼ ପକାଇ ସାରିଲେଣି। ତେବେ ଏହାରି ମଧ୍ୟରେ ମହାକୁମ୍ଭର ଉଭୟ ଗଙ୍ଗା ଓ ଯମୁନା ନଦୀର ଜଳକୁ ନେଇ ଆସିଥିବା ରିପୋର୍ଟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ ସଙ୍ଗମର ଜଳ ସ୍ନାନଯୋଗ୍ୟ ନୁହେଁ। ଏହାକୁ ନେଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି) ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭର୍ସନା କରିଛି।

ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ଗଙ୍ଗା ଓ ଯମୁନା ନଦୀର ଜଳର ଗୁଣବତ୍ତାକୁ ବହୁତ ଖରାପ ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ ସଙ୍ଗମ ସ୍ଥଳକୁ ଆସୁଥିବା ପାଣିର ବିଶୁଦ୍ଧିକରଣ କରାଯିବାରେ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଫଳ ହୋଇଛି। ଏହାଦ୍ୱାରା ୫୦ କୋଟିରୁ ଅଧିକ ଭକ୍ତ ମଇଳା ପାଣିରେ ବୁଡ଼ ପକାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଏନଜିଟି ପକ୍ଷରୁ କୁହାଯାଇଛି।

ଜାନୁଆରୀ ମାସାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରୟାଗରାଜରେ ୭୩ଟି ଭିନ୍ନ ଭିନ୍ନ ସ୍ଥାନରୁ ଜଳର ନମୁନା ସଂଗ୍ରହ କରାଯାଇଥିଲା। ଏବେ ଏହି ଯାଞ୍ଚର ଫଳାଫଳ ଅନୁସାରେ ମୋଟ୍‌ ୬ଟି ପାରାମିଟର ଆଧାରରେ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ନାନଯୋଗ୍ୟ ନଥିବା କୁହାଯାଇଛି। ସିପିସିବି ଏହି ରିପୋର୍ଟକୁ ଫେବ୍ରୁଆରି ୧୬ ତାରିଖରେ ଏନଜିଟି ନିକଟରେ ଦାଖଲ କରିଥିଲା।

ସିପିସିବି ପକ୍ଷରୁ ସଙ୍ଗମ ସ୍ଥଳ ପାଣିର ପିଏଚ୍‌ ଟେଷ୍ଟ କରାଯାଇଥିଲା। ପାଣି କେତେ ଅମ୍ଳୀୟ ବା କ୍ଷାରୀୟ, ଫିକଲ କୋଲିଫର୍ମ, ବିଓଡି ଅର୍ଥାତ୍‌ ବାୟୋକେମିକାଲ ଅକ୍ସିଜେନ୍‌ ଡିମାଣ୍ଡ, ସିଓଡି ଅର୍ଥାତ୍‌ କେମିକାଲ ଅକ୍ସିଜେନ୍‌ ଡିମାଣ୍ଡ ଓ ଡିଜଲ୍‌ଭଡ ଅକ୍ସିଜେନ୍‌ ଭଳି ୬ ପାରାମିଟର ଆଧାରରେ ନମୁନା ନିଆଯାଇଥିଲା । 

ଯେଉଁସବୁ ସ୍ଥାନରୁ ନମୁନା ନିଆଯାଇଥିଲା, ସେଥିରେ ଅଧିକାଂଶ ସ୍ଥାନର ପାଣିରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆର ମାତ୍ରା ମାନକଠୁ ଅଧିକ ରହିଛି। ସାଧାରଣତଃ ୧ ମିଲିଲିଟର ପାଣିରେ ୧୦୦ ବ୍ୟାକ୍ଟେରିଆ ରହିବା କଥା, ହେଲେ ଅମୃତ ସ୍ନାନର ଠିକ୍‌ ଦିନକ ପୂର୍ବରୁ ଯମୁନା ନଦୀର ଏକ ନମୁନାରେ ୨୩୦୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଲା। ଏହା ବ୍ୟତୀତ ୫ ଅନ୍ୟ ପାରାମିଟରରେ ପାଣିର ଗୁଣବତ୍ତା ଖରାପ ରହିଥିବା ଦେଖିବାକୁ ମିଳିଛି।

ଏହି ସ୍ଥିତିରେ ସିପିସିବିର ମାନକ ଅନୁଯାୟୀ ଏହା ‘ସି’ ଶ୍ରେଣୀରେ ଆସୁଛି। ଏଥିରେ ପାଣିକୁ ବିଶୁଦ୍ଧ ଓ ସଂକ୍ରମଣ ରହିତ ନକରି ଗାଧୋଇବା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସିପିସିବି ପକ୍ଷରୁ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଥିଲା, ହେଲେ ବୋର୍ଡ ଏଥିରେ ବିଫଳ ହୋଇଛି।

ଡାଉନ୍ ଟୁ ଆର୍ଥ ସଂସ୍ଥା ଦ୍ଵାରା ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ପ୍ରୟାଗରାଜରେ ଥିବା ଏକାଧିକ ସ୍ୱେରେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ (ଏସଟିପି) କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ପ୍ରତିଦିନ ଅନେକ ମାତ୍ରାରେ ଦୂଷିତ ଜଳ ଗଙ୍ଗା ନଦୀରେ ନିଷ୍କାସନ କରାଯାଉଥିଲା। ଏଥିରେ ପ୍ରୟାଗରାଜ ଓ ଉତ୍ତରପ୍ରଦେଶର ଅନ୍ୟ ସହରର ଡ୍ରେନ ପାଣି ସିଧା ସଳଖ ନଦୀରେ ଛଡ଼ା ଯାଉଥିବା ଦେଖିବାକୁ ମିଳୁଛି।

ମହାକୁମ୍ଭରେ ଗଙ୍ଗା ନଦୀର ନିର୍ମଳତା ବଜାୟ ରଖିବା ପ୍ରୟାଗରାଜ ନଗର ନିଗମ ଓ ଉତ୍ତରପ୍ରଦେଶ ଜଳ ନିଗମର ଦାୟିତ୍ୱ। ନଗର ନିଗମ ଅଧିକାରୀଙ୍କ ଅନୁସାରେ, ଜିଓ-ଟ୍ୟୁବ୍‌ ଟେକ୍ନୋଲୋଜିର ଉପଯୋଗ କରି ନାଳର ବର୍ଜ୍ୟଜଳକୁ ବିଶୋଧନ କରାଯାଉଛି। ଏହାପରେ ମଧ୍ୟ ଜଳର ମାନ ବହୁତ ଖରାପ ରହୁଛି।

Tags: #MahaKumbhMela #TriveniSangam #WaterQuality #NGT #HolyBath #Prayagraj

Comment