ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲଙ୍କ ରଚିତ ଉପନ୍ୟାସ ‘ଯାଆଁଳା ତୋଟା’ ଉପରେ ଏକ ଅଲୋଚନାଚକ୍ର ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉପନ୍ୟାସରେ ଚିତ୍ର ଓ ଚରିତ୍ରରେ ଓଡ଼ିଆ ଅସ୍ମିତାକୁ ସୁନ୍ଦର ରୂପେ ବର୍ଣ୍ଣନା କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଔପନ୍ୟାସିକ କାଳନ୍ଦୀ ସାମଲ ‘ଯାଆଁଳା ତୋଟା’ରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଗ୍ରାମ୍ୟ ଅର୍ଥନୀତିର ଉଦାହରଣ ଦେଇ ଏହାକୁ ଓଡ଼ିଆ ଅସ୍ମିତା ସହ ତୁଳନା କରିଛନ୍ତି। ଓଡ଼ିଆ ଲୋକଙ୍କ ଦୈନନ୍ଦିନ ଜୀବନ, ଗାଁର ଅବସ୍ଥା, ବିକାଶ ପାଇଁ ଜନ ଭାଗୀଦାରୀ ତଥା ଦୁଇ ଝିଅଙ୍କ ସଫଳ କାହାଣୀ ଏହି ଉପନ୍ୟାସରେ ବର୍ଣ୍ଣିତ ହୋଇଛି।

“କାଳନ୍ଦି ସାମଲଙ୍କ ‘ଯାଆଁଳା ତୋଟା’ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ। ଏହା ବିକଶିତ ଓଡ଼ିଶାର ପ୍ରତିଛବି ହେବାସହ ନାରୀ ସଶକ୍ତିକରଣର ପାଇଁ ଦସ୍ତାବିଜ ହେବ। ଶାସକ ଓ ନାଗରିକ ମଧ୍ୟରେ ଆତ୍ମୀୟତା। ମା ପାଇଁ ଗଛ ଟିଏ ଏବଂ ଗାଁ ପାଇଁ ପାଣି ଆଣି ଦେବାର ଦୁଇ ଝିଅଙ୍କ ସଫଳ କାହାଣୀ ଏଥିରେ ବର୍ଣ୍ଣିତ। ଜନ ସହଭାଗିତାର ପ୍ରତିଫଳନ ସ୍ଵରୂପ ଗୋଟିଏ ଛୋଟ ଗାଁ କିପରି ବିକାଶର ଶୀର୍ଷରେ ପହଞ୍ଚିଛି ତାହା ଏହି ଉପନ୍ୟାସରେ ଦର୍ଶା ଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଲେଖକଙ୍କ ଗଭୀର ନିଷ୍ଠା ଏହା ପ୍ରକଟ କରୁଛି”, କହିଥିଲେ ସୂର୍ଯ୍ୟବଂଶୀ ସୂରଜ।   

ସେ ଆହୁରି ମଧ୍ୟ କହିଥିଲେ, “ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଆମ ଅସ୍ମୀତାର ଦିଅଁ। ଓଡ଼ିଆଙ୍କ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବଡ଼ ଠାକୁରଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ। ଠିକ୍ ସେହିପରି ଯାଆଁଳା ତୋଟାର ମୂଖ୍ୟ ଚରିତ୍ର ରଶ୍ମୀରେଖା ଏବଂ ଦିପ୍ତିରେଖା ଅସ୍ମୀତାର ସଂସ୍କାର ପାଇଥିଲେ ପିଲାଦିନୁ ମା’ ଦମୟନ୍ତୀ ଦେବୀଙ୍କ କାର୍ଯ୍ୟଧାରା ଏବଂ ପରିବାର ପରିଚାଳନାରୁ। ଗ୍ରାମର ଅସୀତପର ବୃଦ୍ଧ ନଦେଇ ମଉସାଙ୍କ ହାତରେ ପୋଖରୀ ଖୋଳାର ଉଦ୍‌ଘାଟନ ପୂଜ୍ୟପୂଜାର ନମୁନା। ଏଇତ ଆମ ଅସ୍ମୀତା । ଏହାକୁ ନେଇକି ତ ଆମେ ଗର୍ବ କରୁ।”

ଏହି ଉପନ୍ୟାସ ମାର୍କ୍ସବାଦୀ ସାହିତ୍ୟକୁ ଖଣ୍ଡନ କରିବା ସହ ଏହାର ବିକଳ୍ପ ଭାବେ ଉଭା ହୋଇଛି। ମାର୍କ୍ସବାଦୀ ସାହିତ୍ୟରେ ଜାତିବାଦକୁ ନେଇ ଅନେକ କାଳ୍ପନିକ କାହାଣୀ ରଚିତ ହୋଇଥିବାବେଳେ ‘ଯାଆଁଳା ତୋଟା’ ଏଥିରୁ ସମ୍ପୂର୍ଣ୍ଣ ଅଲଗା ମତ ରଖିଛି ବୋଲି ଲେଖକ ଉଲ୍ଲେଖ କରିଛନ୍ତି।

ଏହି ଉପନ୍ୟାସର ଉନ୍ମୋଚନ ଅବସରରେ ଯାଜପୁର ସାଂସଦ ରବି ନାରାୟଣ ବେହେରା, ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା, ପ୍ରଫେସର ବସନ୍ତ ପଣ୍ଡା, ସମାଜସେବୀ ସମୀର ମହାନ୍ତି, ସଜ୍ଜନ ଶର୍ମା, ପଞ୍ଚାନନ ନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବିଭିନ୍ନ ବିଶ୍ୱବିଦ୍ୟାଳୟର ୧୦ ଜଣ ଗବଷେକ ବିଭିନ୍ନ ଦିଗରୁ ‘ଯାଆଁଳା ତୋଟା’ ଉପରେ ଆଲୋଚନା କରିଥିଲେ।

Tags: #JaanlaTota #OdiaNovel #KalandiSamal #SuryabanshiSuraj #Culture #Bhubaneswar

LEAVE A REPLY

Please enter your comment!
Please enter your name here