ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଥମୁନି ବିବାଦ। ଏହି ଘଟଣାରେ ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେବାକୁ ଆଉ ୬ ଜଣଙ୍କୁ ନୋଟିସ ଜାରି ହୋଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି।
ଫେବ୍ରୁଆରି ୨୭ ତାରିଖରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବା ଲାଗି ଚିଫ ପ୍ରୋକ୍ଟର ପିକେ ପଟ୍ଟନାୟକ, କୁଇନ କାଷ୍ଟଲ ହଷ୍ଟେଲର ସୁପରିନଟେଣ୍ଡେଣ୍ଟ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି, ଆଇସି ମୁଖ୍ୟ ଈପସିତା ଶତପଥୀ ଏବଂ ଆଡମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ ଜାରି ହୋଇଛି।
ନେପାଳ ଛାତ୍ରୀ ଆତ୍ମହତ୍ୟା ଏବଂ ବଢ଼ୁଥିବା ବିବାଦକୁ ନେଇ ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ନିକଟରେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ଭିସି ଓ ରେଜିଷ୍ଟାର, ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ମୋଟ ୯ ଜଣ ହାଜର ହୋଇଥିଲେ।
ଫେବ୍ରୁଆରି ୧୬ ତାରିଖ ରାତିରେ ବିଟେକ୍ ତୃତୀୟ ବର୍ଷର ନେପାଳ ଛାତ୍ରୀ କିଟ୍ କ୍ୟାମ୍ପସରେ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ଅଶାନ୍ତ ହୋଇପଡ଼ିଥିଲା ପୂରା ବିଶ୍ୱବିଦ୍ୟାଳୟ ପରିସର। ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିବାଦ କରୁଥିବା ଅନ୍ୟ ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ନେପାଳ ଛାତ୍ରଛାତ୍ରୀଙ୍କୁ ଜୋର କରି ରେଳ ଷ୍ଟେସନରେ ଛାଡ଼ିବା ସହ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ କୁହାଯାଇଥିଲା।
ଏହି ଘଟଣାକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।
tags: #KIITUniversity #NepalstudentDeathCase #Summons #Controversy #Bhubaneswar #Odisha