ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହକୁମ୍ଭ ମେଳା। ଜାନୁଆରି ୧୩ରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭ ମେଳା ଫେବ୍ରୁଆରି ୨୬ ଯାଏଁ ଦେଢ଼ ମାସ ଧରି ଚାଲିଲା। ଏହି ମେଳାରେ ଧର୍ମ, ସଂସ୍କୃତି ଏଵଂ ଭକ୍ତିର ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ୬୫ କୋଟିରୁ ଅଧିକ ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ।

ଚଳିତ ବର୍ଷ ଏହି କୁମ୍ଭମେଳା ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ସମୟରେ ଗ୍ରହମାନଙ୍କର ବିରଳ ମିଶ୍ରଣ ଯୋଗୁଁ ଖୁବ ସ୍ୱତନ୍ତ୍ର ଥିଲା। ଏହା ସହ ମହାକୁମ୍ଭରେ ପୂର୍ଣ୍ଣିମା, ରବି, ଭାଦ୍ରବାସ ଯୋଗ ମଧ୍ୟ ରହିଥିଲା। ୧୪୪ ବର୍ଷରେ ପରେ ଏପରି ସଂଯୋଗ ପଡ଼ିଥିଲା।

ମହାକୁମ୍ଭର ସମାପ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି, “୨୦୨୫ ମହାକୁମ୍ଭ ମେଳାରେ ଭକ୍ତଙ୍କ ଅଭୂତପୂର୍ବ ଅଂଶଗ୍ରହଣ ଭାରତର ଆଧ୍ୟାତ୍ମିକ ଐତିହ୍ୟ କେତେ ଦୃଢ଼ ତାହା ପ୍ରତିଫଳିତ କରେ। ଏହି କାର୍ଯ୍ୟକ୍ରମ କେବଳ ଏକ ମେଳା ନୁହେଁ ବରଂ ଆମର ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ପ୍ରତୀକ। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିବା ପାଇଁ ମୁଁ ସମସ୍ତ ସନ୍ଥ, ଭକ୍ତ ଏବଂ ପ୍ରଶାସନକୁ ଅଭିନନ୍ଦନ ଜଣାଉଛି।”

ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜର ମହାକୁମ୍ଭ ୨୦୨୫ର ସଫଳ ଆୟୋଜନରେ ଯୋଗଦାନ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି।

ତେବେ ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ସାମାଜିକ, ପ୍ରଶାସନିକ ଏବଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା, ଟ୍ରାଫିକ୍, ସ୍ୱାସ୍ଥ୍ୟ ସେବା ଏବଂ ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥାର ସୁଗମ କାର୍ଯ୍ୟକାରିତା ପାଇଁ ସରକାର ଏବଂ ପ୍ରଶାସନକୁ ଅନେକ ବିଶେଷ ପଦକ୍ଷେପ ନେବାକୁ ପଡ଼ିଥିଲା। ଉତ୍ତରପ୍ରଦେଶ ସରକାର ମହାକୁମ୍ଭ କ୍ଷେତ୍ରକୁ ରାଜ୍ୟର ଏକ ସ୍ଵତନ୍ତ୍ର ଜିଲ୍ଲା ଭାବେ ମଧ୍ୟ ଘୋଷଣା କରିଥିଲେ।  

ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭକୁ ୬୫ କୋଟି ଭକ୍ତଙ୍କ ଆଗମନ ସହ, ପ୍ରଶାସନ ସମ୍ମୁଖରେ ଏହାର ସୁରକ୍ଷା ବଜାୟ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରୟାଗରାଜ ସହରକୁ ହାଇ ସିକ୍ୟୁରିଟି ଜୋନ ଘୋଷଣା କରାଯାଇଥିଲା।  ସହରର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ।

ସେହିଭଳି ସୁରକ୍ଷା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ପ୍ରୟାଗରାଜରେ ଡ୍ରୋନ୍ କ୍ୟାମେରା, ଏଆଇ ଆଧାରିତ ମନିଟରିଂ ସିଷ୍ଟମ ଏବଂ ୫୦୦୦ରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯାଇଥିଲା। ସେହିପରି କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସହରର ମୁଖ୍ୟ ରାସ୍ତା ଏବଂ ସ୍ନାନ ଘାଟଗୁଡ଼ିକରେ ସ୍ୱତନ୍ତ୍ର ପୋଲିସ ପୋଷ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା।

ମହାକୁମ୍ଭ ମେଳା ସମୟରେ ୫୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ଏବଂ ଅନେକ ସ୍ଵେଚ୍ଛାସେବୀଙ୍କୁ ମୁତୟନ କରାଯାଇଥିଲା। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବା ଏବଂ ଆଇନ ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ହୋଇଥିଲା।

କିପରି ଥିଲା ଟ୍ରାଫିକ୍ ବ୍ୟବସ୍ଥା?

୬୫ କୋଟି ଭକ୍ତଙ୍କ ଗତିବିଧିକୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଟ୍ରେନ୍, ବସ୍ ଏବଂ ଘରୋଇ ଯାନବାହନ ନେଇ ପୃଥକ ପୃଥକ ବ୍ୟବସ୍ଥା କରିଥିଲେ। ଭାରତୀୟ ରେଳବାଇ ପକ୍ଷରୁ ୫୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଲାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ରାଜ୍ୟରୁ ଭକ୍ତମାନଙ୍କୁ ଆଣିବା ପାଇଁ ୧ ଲକ୍ଷରୁ ଅଧିକ ବସ୍ ଚଳାଚଳ ମଧ୍ୟ କରାଯାଇଥିଲା। ଏ ସବୁ ସତ୍ତ୍ୱେ ଅନେକ ସମୟରେ ଭକ୍ତଙ୍କୁ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପ୍ରୟାଗରାଜ ସହର ମଧ୍ୟରେ ଟ୍ରାଫିକ ଜାମକୁ ରୋକିବା ପାଇଁ ଏକପାଖିଆ ଟ୍ରାଫିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ସଙ୍ଗମ ଅଞ୍ଚଳରେ ଯାନବାହାନ ପ୍ରବେଶ ନିଷେଧ କରାଯାଇଥିଲା ଏବଂ ଭକ୍ତମାନଙ୍କୁ ଘାଟକୁ ପରିବହନ କରିବା ପାଇଁ ଇଲେକ୍ଟ୍ରିକ୍ ରିକ୍ସା ଏବଂ ବ୍ୟାଟେରୀ ଯାନ ଚଳାଚଳ କରାଯାଇଥିଲା।

ଭକ୍ତମାନଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା

ମହାକୁମ୍ଭ ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ପାଇଁ ୧୫ ଲକ୍ଷରୁ ଅଧିକ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଥିଲା। ଏହି ଅସ୍ଥାୟୀ ଟେଣ୍ଟଗୁଡ଼ିକରେ ବିଦ୍ୟୁତ୍, ପାଣି ଏବଂ ଶୌଚାଳୟ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ବିଭିନ୍ନ ଧାର୍ମିକ ସଂଗଠନ ଏବଂ ପ୍ରଶାସନ ଦ୍ୱାରା ଭକ୍ତମାନଙ୍କ ପାଇଁ ଭଣ୍ଡାରା ଏବଂ ଅନ୍ନଛତ୍ରର ଆୟୋଜନ କରାଯାଇଥିଲା। ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଥିଲା।

ଦୁର୍ଘଟଣା ଏବଂ ଆହତ

ପ୍ରବଳ ଭିଡ଼ ଯୋଗୁଁ ମହାକୁମ୍ଭ ମେଳାରେ କିଛି ଅପ୍ରୀତିକର ଘଟଣା ମଧ୍ୟ ଘଟିଥିଲା। ଏହି ମେଳାରେ ପାଖାପାଖି ୭୯ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଭକ୍ତ ଆହତ ହୋଇଛନ୍ତି। ତ୍ରିବେଣୀ ଅମାବାସ୍ୟା ଦିନ ଦଳାଚକଟା ଯୋଗୁଁ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଥିଲା। ଏଥିରେ ୩୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦ରୁ ଅଧିକ ଆହତ ହୋଇଥିଲେ। ଏହାସହ ପ୍ରୟାଗରାଜ ରେଳ ଷ୍ଟେସନରେ ଭିଡ଼ ଯୋଗୁଁ ମଧ୍ୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ମେଳା ମଧ୍ୟରେ କିଛି ଅସ୍ଥାୟୀ ତମ୍ବୁରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଜଣ ଭକ୍ତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ ୩୦ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଗଙ୍ଗାରେ ଡଙ୍ଗା ବୁଡ଼ିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଶାସନ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରି ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛି।

କୁମ୍ଭମେଳାର ଧାର୍ମିକ ଏବଂ ଐତିହାସିକ ଗୁରୁତ୍ୱ

କୁମ୍ଭ ମେଳା ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଏବଂ ପବିତ୍ର ମେଳା, ଯାହା ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ମଧ୍ୟ ଉଲ୍ଲେଖ ଅଛି। କିମ୍ବଦନ୍ତୀ ଅନୁସାରେ, ଯେତେବେଳେ ସମୁଦ୍ର ମନ୍ଥନ ସମୟରେ ଅମୃତ ପାତ୍ର ମିଳିଥିଲା, ସେତେବେଳେ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ଏହାକୁ ନେଇ ଯୁଦ୍ଧ ହୋଇଥିଲା। ଏହି ସଂଘର୍ଷ ସମୟରେ, ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକ – ଚାରୋଟି ପବିତ୍ର ସ୍ଥାନ ଉପରେ କିଛି ବୁନ୍ଦା ଅମୃତ ପଡ଼ିଲା। ଏହି ବିଶ୍ୱାସ ଆଧାରରେ, ପ୍ରତି ୧୨ ବର୍ଷରେ ଥରେ ଏହି ସ୍ଥାନଗୁଡ଼ିକରେ କୁମ୍ଭମେଳା ଆୟୋଜନ କରାଯାଏ।

ସାଧାରଣତଃ ଏହି କୁମ୍ଭମେଳା ୪ ପ୍ରକାରର ହୋଇଥାଏ- କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି। ଏହି ସମୟରେ ସଂଗମରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରିଥାଏ ଏବଂ ଅନେକ ଜନ୍ମର ପାପ ମଧ୍ୟ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ ରହିଛି। ସେଥିପାଇଁ ପ୍ରତ୍ୟେକ ଥର କୁମ୍ଭମେଳାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମେ।

Tags: #MahaKumbhMela #TriveniSangam #HolyBath #Prayagraj

Comment