ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ହେବାକୁ ଯାଉଛି ବିଶ୍ଵର ଲୋକପ୍ରିୟ ସଙ୍ଗୀତ ତାରକା ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ। ଆସନ୍ତା ଏପ୍ରିଲ ୧୯ ତାରିଖରେ ଏହି କନ୍ସର୍ଟ ଅନୁଷ୍ଠିତ ହେବ। ‘ସନବର୍ଣ୍ଣ’ ଓ ‘ସ୍ପେସ ବାଉଣ୍ଡ’ କମ୍ପାନିର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ କରାଯାଉଛି। ଏନେଇ ଶୁକ୍ରବାରଠାରୁ ଅନଲାଇନ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଛି।
ଆଲେନ ୱାକର ଏପ୍ରିଲ ମାସରେ ନିଜର ଇଣ୍ଡିଆ ମ୍ୟୁଜିକ ଟୁର୍ ଆରମ୍ଭ କରିବେ। ଏଥିରେ ଭାରତର ୪ଟି ସହରରେ ତାଙ୍କର କନ୍ସର୍ଟ ହେବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୭ ତାରିଖରେ ଗୌହାଟିରେ ଏହି ମ୍ୟୁଜିକ ଟୁର୍ ଆରମ୍ଭ ହେବ। ଏହାପରେ ଏପ୍ରିଲ ୧୮ରେ ହାଇଦ୍ରାବାଦରେ, ଏପ୍ରିଲ ୧୯ ରେ ଭୁବନେଶ୍ୱର ଏବଂ ଏପ୍ରିଲ ୨୦ରେ ଜୟପୁରରେ ଏହି କନ୍ସର୍ଟ ସବୁ ହେବ।
“ଭାରତରେ ଗତବର୍ଷ ଆୟୋଜିତ ହୋଇଥିବା ଆଲେନ ୱାକରଙ୍କ ମ୍ୟୁଜିକ୍ ଶୋ’କୁ ଲୋକେ ବେଶ୍ ପ୍ରଶଂସା କରିଥିଲେ। ଏହାକୁ ଦେଖି ଆମେ ଚଳିତବର୍ଷ ମଧ୍ୟ ତାଙ୍କର ଆଉ ଏକ ଇଣ୍ଡିଆ ମ୍ୟୁଜିକ ଟୁର୍ ଆୟୋଜନ କରିବାକୁ ଯାଉଛୁ। ଏହା ବହୁତ ଲୋକପ୍ରିୟ ହେବ ବୋଲି ଆମର ଆଶା। ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଜାତୀୟ ସେଲିବ୍ରିଟିମାନଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ଆମେ ନିରନ୍ତର ଉଦ୍ୟମ କରୁଛୁ”, କହିଛନ୍ତି ସ୍ପେସ ବାଉଣ୍ଡର ସିଇଓ କରନ ସିଂହ।
ଆଲେନ ୱାକରଙ୍କ ଏହି କନ୍ସର୍ଟ ପାଇଁ ଶୁକ୍ରବାରଠାରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ‘ବୁକ୍ ମାଇଁ ଶୋ’ ୱେବସାଇଟ୍ ଓ ଆପରେ ଏହି ଟିକେଟ୍ ଉପଲବ୍ଧ ରହିଛି। ଏହାର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ହେଉଛି।
Tags: #AlanWalker #MusicConcert #MusicShow #Sunburn #Spacebound #Bhubaneswar