ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀକ୍ଷା ସରିଯାଏ, ହେଲେ ରେଜଲ୍ଟ ବାହାରିବା ଅନେକ ସମୟରେ ବିଳମ୍ବ ହୋଇଥାଏ। ଫଳରେ ଉଚ୍ଚଶିକ୍ଷା ତଥା ଚାକିରି ପାଇବାରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ନେଇଛି ବଡ଼ ପଦକ୍ଷେପ। ପରୀକ୍ଷା ସରିବାର ମାତ୍ର ୭ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବାରେ ସଫଳ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ରାଜ୍ୟରେ ବୈଷୟିକ ଏବଂ ପରିଚାଳନା ଶିକ୍ଷାକୁ ନିୟନ୍ତ୍ରଣ କରୁଥିବା ଏହି ସର୍ବୋଚ୍ଚ ସଂସ୍ଥା ସମୟସୀମା ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶ କରିବାରେ ସମର୍ଥ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏ ସଂପର୍କରେ ସୂଚନା ଦେଇଛନ୍ତି। ପ୍ରଫେସର ଅମୀୟ ରଥ କହିଛନ୍ତି, “ପରୀକ୍ଷା ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେ ଫଳାଫଳ ଘୋଷଣା କରୁଛୁ। ଗତ ଦୁଇ ବର୍ଷ ହେଲା ଇ-ମୂଲ୍ୟାଙ୍କନ ପଦ୍ଧତି ଏବଂ ଅନୁଷ୍ଠାନର ପ୍ରତିବଦ୍ଧତା ଯୋଗୁଁ ଏପରି କରିବାରେ ସକ୍ଷମ ହୋଇଛି ବିପିୟୁଟି।”

ରାଜ୍ୟର ମୋଟ ୧୩୫ଟି କଲେଜ ବିପିୟୁଟି ଅଧୀନରେ ରହିଛି। ସେଥିରେ ରହିଛି ୧୦ଟି ସରକାରୀ କଲେଜ ଏବଂ ୧୨୫ଟି ବେସରକାରୀ କଲେଜ। ଏହି କଲେଜଗୁଡ଼ିକରେ ପରୀକ୍ଷା ପରିଚାଳନା କରିବା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବା ସାର୍ଟିଫିକେଟ ପ୍ରଦାନ କରିଥାଏ ବିପିୟୁଟି। ଦକ୍ଷତା ବୃଦ୍ଧି ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ  ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଥାଏ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି। 

ଫଳାଫଳ ଶୀଘ୍ର ପ୍ରକାଶ କରିବାରେ ବିପିୟୁଟିର ରେକର୍ଡ

୨୦୨୪-୨୫ ଶିକ୍ଷାବର୍ଷରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୮ ହଜାର ୯୦୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ ୨ ଲକ୍ଷ ୭୧ ହଜାର ୩୧ଟି ଉତ୍ତର ସିଟ୍ ମୂଲ୍ୟାଙ୍କନ କରାଯାଇଥିଲା। ୫୨ଟି କେନ୍ଦ୍ରରେ ୧,୦୭୯ ଜଣ ପରୀକ୍ଷକ ମୂଲ୍ୟାଙ୍କନ କରିଥିଲେ। ଏହି ପରୀକ୍ଷା ୨୫ ନଭେମ୍ବରରେ ଆରମ୍ଭ ହୋଇ ୧୯ ଡିସେମ୍ବର ୨୦୨୪ରେ ଶେଷ ହୋଇଥିଲା। କିନ୍ତୁ ବଡ଼ କଥା ହେଉଛି, ପରୀକ୍ଷା ଶେଷ ହେବାର ମାତ୍ର ୫ ଦିନ ମଧ୍ୟରେ ଅର୍ଥାତ ୨୪ ଡିସେମ୍ବରରେ ବିଶ୍ୱବିଦ୍ୟାଳୟ ଫଳାଫଳ ପ୍ରକାଶ କରିଥିଲା।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ, ୫୮ ହଜାର ୧ ଛାତ୍ରଛାତ୍ରୀଙ୍କ ମୋଟ ୩ ଲକ୍ଷ ୩୦ ହଜାର ୪୩୦ ଉତ୍ତର ସିଟ୍ ମୂଲ୍ୟାଙ୍କନ କରାଯାଇଥିଲା। ୫୨ଟି କେନ୍ଦ୍ରରେ ୧,୨୭୫ ଜଣ ପରୀକ୍ଷକ ଏହାର ମୂଲ୍ୟାଙ୍କନ କରିଥିଲେ। ଏହି ପରୀକ୍ଷା ୯ ଜାନୁଆରିରେ ଆରମ୍ଭ ହୋଇ ୨୮ ଜାନୁଆରି ୨୦୨୫ରେ ଶେଷ ହୋଇଥିଲା। ବିଶ୍ୱବିଦ୍ୟାଳୟ ଏହି ପର୍ଯ୍ୟାୟର ଫଳାଫଳକୁ ମଧ୍ୟ ମାତ୍ର ୭ ଦିନରେ ଅର୍ଥାତ ୪ ଫେବ୍ରୁଆରି ୨୦୨୫ରେ ପ୍ରକାଶ କରିଥିଲା। 

ଏହାସହ, ଚୂଡ଼ାନ୍ତ ଫଳାଫଳ ପ୍ରକାଶନର ଦିନକ ପରେ ଅର୍ଥାତ ୨୦୨୫ ଫେବ୍ରୁଆରି ୫ ତାରିଖରେ ନିର୍ଦ୍ଧାରିତ ସମୟ ଅନୁସାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଇ-ମୂଲ୍ୟାଙ୍କନ ମାଧ୍ୟମରେ ଶୀଘ୍ର ଫଳାଫଳ ପ୍ରକାଶ 

ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ବିପିୟୁଟି। କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ସୂଚନା ଅନୁସାରେ, ମୂଲ୍ୟାଙ୍କନ ପାଇଁ ସମସ୍ତ ବିଷୟର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉନାହିଁ। ଶେଷ ହୋଇଥିବା ପରୀକ୍ଷାର ଉତ୍ତର ସିଟ୍ ସଂଗ୍ରହ କରି ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରୁଛି ବିଶ୍ୱବିଦ୍ୟାଳୟ। ସଂଗୃହୀତ ଉତ୍ତର ସିଟଗୁଡ଼ିକୁ ଡିଜିଟାଇଜେସନ୍ ସହ କୋଡିଂ କରିବା ପରେ ଇ-ମୂଲ୍ୟାଙ୍କନ ପ୍ଲାଟଫର୍ମରେ ଏହାକୁ ଅପଲୋଡ୍ କରି ମୂଲ୍ୟାଙ୍କନ କରାଯାଏ।

ଅନ୍ୟପଟେ ବାକିଥିବା ବିଷୟଗୁଡ଼ିକର ପରୀକ୍ଷା ଜାରି ରହିଥାଏ। ଯେଉଁ ବିଷୟର ପରୀକ୍ଷା ସରିଯାଏ, ସମାନ ପ୍ରକ୍ରିୟାରେ ମୂଲ୍ୟାଙ୍କନ କରାଯାଏ। ଏପରି ପଦ୍ଧତି ଆପଣେଇବା ଦ୍ଵାରା କମ୍ ସମୟ ମଧ୍ୟରେ ମୂଲ୍ୟାଙ୍କନ ଏବଂ ଟାବୁଲେସନ୍ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛି ବିଶ୍ୱବିଦ୍ୟାଳୟ।

ବହୁ ସଂଖ୍ୟକ ଉତ୍ତର ସିଟ୍ ପରିଚାଳନା କରିବା ଏବଂ ଇ-ମୂଲ୍ୟାୟନ ପ୍ରକ୍ରିୟାକୁ ସଫଳତାର ସହ ସମାପ୍ତ କରିବା ଏକ ବଡ଼ ଚ୍ୟାଲେଞ୍ଜ। ବିପିୟୁଟି କର୍ମଚାରୀଙ୍କ ସାମୂହିକ ପ୍ରୟାସ ଦ୍ୱାରା ହିଁ ବିଶ୍ୱବିଦ୍ୟାଳୟ ଏପରି ସଫଳତା ହାସଲ କରିପାରିଥିବା କୁଳପତି ପ୍ରଫେସର ଅମୀୟ କୁମାର ରଥ କହିଛନ୍ତି।

ଡିଜିଟାଲ୍ ସୁବିଧା ଏବଂ ପ୍ରମାଣପତ୍ରର ସୁରକ୍ଷା

ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଫଳ ବିଳମ୍ବରେ ଘୋଷଣା ହେବା ଯୋଗୁଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କିମ୍ବା ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଇ-ମୂଲ୍ୟାଙ୍କନ ପଦ୍ଧତି ଗ୍ରହଣ କରି ଏହି ସମସ୍ୟାର ସମାଧାନ କରିବାରେ ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ହୋଇପାରିଛି ବିପିୟୁଟି।

ପରୀକ୍ଷା ଫଳ ପ୍ରକାଶନର ମାତ୍ର ତିନି ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନରେ ଗ୍ରେଡ୍ ସିଟ୍ ଏବଂ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଉପଲବ୍ଧ କରାଉଛି। ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ଡାଉନଲୋଡ୍ କରି ବ୍ୟବହାର କରିପାରୁଛନ୍ତି।

ସେହିପରି ବିପିୟୁଟି ଦ୍ୱାରା ଜାରି କରାଯାଉଥିବା ଅରିଜିନାଲ୍ ଡିଗ୍ରୀ ପ୍ରମାଣପତ୍ରରେ ୨୦ଟି ସୁରକ୍ଷା ବୈଶିଷ୍ଟ୍ୟ ରହିଛି। ପ୍ରମାଣପତ୍ରରେ କ୍ୟୁଆର କୋଡ୍, ୨-ଡି ହଲୋଗ୍ରାମ, ୟୁଭି କୋଡ୍, ୱାଟରମାର୍କ ଭଳି ବୈଷୟିକ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଏହା ସହ ପ୍ରମାଣପତ୍ରଟି ଜଳ-ପ୍ରତିରୋଧୀ। ଲାମିନେଟେଡ୍ କରି ଏହାକୁ ଦୀର୍ଘସ୍ଥାୟୀ କରାଯାଇପାରୁଛି।

ପ୍ରତ୍ୟେକ ଡିଗ୍ରୀ ପ୍ରମାଣପତ୍ରରେ କୁଳପତିଙ୍କ ସ୍ୱାକ୍ଷର ରହିଥାଏ। ଏହା ସହ, ବିଭିନ୍ନ ପାଠ୍ୟକ୍ରମ (ୟୁଜି, ପିଜି ଓ ପିଏଚଡି) ପାଇଁ ଭିନ୍ନ ଭିନ୍ନ ରଙ୍ଗ କୋଡ୍ ବ୍ୟବହାର କରିଯାଏ, ଯାହା ପ୍ରମାଣପତ୍ରକୁ ଆହୁରି ସ୍ୱତନ୍ତ୍ର କରିଛି।

ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପିୟୁଟିର ଅବଦାନ

୨୦୦୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଆଜି ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକ୍ଚର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡି ଆଦି ପାଠ୍ୟକ୍ରମ ପ୍ରଦାନ କରାଯାଉଛି।

ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ସ୍ୱଚ୍ଛତା ସହ ଶୀଘ୍ର ପରୀକ୍ଷା ଫଳାଫଳ ପ୍ରକାଶ କରିବାରେ ଉଦାହରଣ ସୃଷ୍ଟି କରିଛି ବିପିୟୁଟି।

Tags: #BPUT #Examination #Results #Students #Bhubaneswar #Odisha

LEAVE A REPLY

Please enter your comment!
Please enter your name here