ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମର ମିଳିତ ପ୍ରୟାସରେ ଶୁକ୍ରବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇଏଲର କାର୍ଯ୍ୟାଳୟ ପରିସରରେ ଏହାର ଆୟୋଜନ କରାଯାଇଥିଲା। ଚଳିତ ବର୍ଷର ଥିମ ରଖାଯାଇଥିଲା ‘ରସୋଇ ସେ ମେଲା ତକ’। 

ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଫୁଡ ଫେଷ୍ଟିଭାଲର ଉଦଘାଟନ କରିଥିଲେ। ୧୫ଟି ଷ୍ଟଲ ମାଧ୍ୟମରେ ମହିଳା ଉଦ୍ୟାଗୀମାନେ ବିଭିନ୍ନ ପ୍ରକାରର ହାତ ରନ୍ଧା ସୁସ୍ଵାଦୁ ଖାଦ୍ୟ ବିକ୍ରିବଟା କରିଥିଲେ। ଫୁଡ ଷ୍ଟଲମାନଙ୍କରେ ଇଣ୍ଡିଆନ, ଚାଇନିଜ, କଣ୍ଟିନେଣ୍ଟାଲ ତଥା ବିଭିନ୍ନ ଓଡ଼ିଆ ପାରମ୍ପରିକ ଖାଦ୍ୟ ଫୁଡ୍ ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଚା’, ପାନଠୁଁ ଆରମ୍ଭ କରି ଅଣ୍ଡା ଚପ, ମଟନ ଚପ, ଦହିବରା, ମକଟେଲ, ବରା, ଇଡ଼ଲି, ସମ୍ବର, ଗୁପଚୁପ ସହ ବିଭିନ୍ନ ପ୍ରକାର ପିଠାର ମଜା ଉଠାଇଥିଲେ ଫେଷ୍ଟିଭାଲ ବୁଲି ଆସିଥିବା ଲୋକ। ମହିଳାମାନେ ନିଜ ହାତ ରନ୍ଧାକୁ କେବଳ ରୋଷେଇ ଘରେ ସୀମିତ ନରଖି ବାହାରେ ତା’ର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏହି ଫୁଡ୍ ଫେଷ୍ଟିଭାଲର ଆୟୋଜନ କରାଯାଇଥିବା କହିଥିଲେ ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି।

ୟୁସିସିଆଇଏଲ୍ ଲେଡିଜ୍ ଫୋରମର ସଭାପତି ପ୍ରଣତି ପରିଡ଼ା କହିଥିଲେ, “ମହିଳା ଉଦ୍ୟାଗୀମାନେ ଏଠାକୁ ଆସି ନିଜ ହାତ ରନ୍ଧା ଖାଦ୍ୟକୁ ପ୍ରଦର୍ଶନ କରି ବେଶ ଖୁସି ଅନୁଭବ କରୁଛନ୍ତି। ମହିଳାମାନେ କେବଳ ଉଦ୍ୟୋଗ କ୍ଷେତ୍ରରେ ନୁହେଁ, ରୋଷେଇରେ ମଧ୍ୟ ନିଜର ଟ୍ୟାଲେଣ୍ଟ ଦେଖାଇପାରିଛନ୍ତି। ଏବେ ସେମାନେ ଘର ସହ ବାହାର କାମ ମଧ୍ୟ ବେଶ୍ ଭଲ ଭାବେ ସମ୍ଭାଳି ପାରୁଛନ୍ତି।”

“ମହିଳାମାନେ ସବୁ କ୍ଷେତ୍ରରେ ସଶକ୍ତ। ଘର ସମ୍ଭାଳିବାଠୁ ନେଇ ଉଡ଼ାଜାହାଜ ଚଳାଇବା ପର୍ଯ୍ୟନ୍ତ ସବୁଠିଁ ନିଜର ପ୍ରତିଭା ଦେଖାଇସାରିଛନ୍ତି। ଆଜି ଏଠାରେ ୩୦ରୁ ଅଧିକ ମହିଳା ଉଦ୍ୟୋଗୀ ନିଜର ଷ୍ଟଲ ପକାଇ ତାହା ପ୍ରମାଣ କରିଦେଇଛନ୍ତି”, କହିଛନ୍ତି ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଅଧ୍ୟକ୍ଷା ଜୟଶ୍ରୀ ମିଶ୍ର। 

ଷ୍ଟଲରେ ନିଜ ହାତ ତିଆରି ଖାଦ୍ୟ ବିକ୍ରି କରି ମହିଳା ଉଦ୍ୟୋଗୀମାନେ ଖୁସି ବ୍ୟକ୍ତ କରିବା ସହ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଥିବାରୁ ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମକୁ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #UCCIL #FoodFestival #WomenEntrepreneur #Bhubaneswar #Odisha

LEAVE A REPLY

Please enter your comment!
Please enter your name here