ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାର ବଦଳିଲେ ବଦଳି ଯାଏ ସବୁ ରଙ୍ଗ। ସେ ସରକାରୀ କୋଠା ହେଉ, ସ୍କୁଲ କାନ୍ଥ କିମ୍ବା ବସର ରଙ୍ଗ। ବିଜେଡି ସରକାର ସମୟରେ ସାରା ଓଡ଼ିଶା ସବୁଜ ରଙ୍ଗରେ ରଙ୍ଗେଇ ହୋଇଥିଲା, ଏବେ ବିଜେପି ସରକାର ଆସିଲା ପରେ ଚାରିଆଡ଼ ଦିଶୁଛି ଗେରୁଆ ଗେରୁଆ।
ଓଡ଼ିଶାରେ ସରକାର ବଦଳିବା ପରେ ବଦଳିବାକୁ ଲାଗିଛି କାନ୍ଥ ବାଡ଼ର ରଙ୍ଗ। ଏବେ ବଦଳିବ ସ୍କୁଲ କୋଠାର ରଙ୍ଗ। ରେଗୁଆ ରଙ୍ଗ ହେବ ରାଜ୍ୟର ସମସ୍ତ ସରକାରୀ ସ୍କୁଲର କୋଠା। ସବୁ ସରକାରୀ ସ୍କୁଲର ରଙ୍ଗ ସମାନ କରିବା ଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓସେପା।
ରାଜ୍ୟରେ ବିଜେଡି ସରକାର ସମୟରେ ସମସ୍ତ ସ୍କୁଲର ରଙ୍ଗ ବଦଳାଇ ସବୁଜ କରାଯାଇଯାଇଥିଲା। ସ୍କୁଲ ୟୁନିଫର୍ମଠାରୁ ଆରମ୍ଭ କରି ବସ୍ର ରଙ୍ଗକୁ ମଧ୍ୟ ସବୁଜ କରାଗଲା। ଏବେ ସବୁଜ ରଙ୍ଗକୁ ଗେରୁଆ କରିବାକୁ ଲାଗି ପଡ଼ିଛନ୍ତି ନୂଆ ସରକାର।
ବଦଳି ଥିଲା ସରକାରୀ କୋଠାର ରଙ୍ଗ
ଓଡ଼ିଶାରେ ସରକାର ବଦଳିବା ପରେ ସରିଲା ସବୁଜ ଯୁଗ, ଏବେ ଚାରିଆଡ଼େ ଦେଖିବାକୁ ମିଳୁଛି କମଳା ରଙ୍ଗ। ୨୦୨୪ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ସରକାରୀ କୋଠାର ବାହ୍ୟ କାନ୍ଥର ରଙ୍ଗର ପରିବର୍ତ୍ତନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ହୋଇଥିଲା ନିର୍ଦ୍ଦେଶନାମା।
ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଥିଲା। ନୂଆ ତଥା ପୁରୁଣା ସରକାରୀ କୋଠାର ରଙ୍ଗ ବଦଳାଯିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ସରକାରୀ କୋଠା କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଥିଲା। କୋଠାର ବାହାର କାନ୍ଥ କମଳା ରଙ୍ଗ କରାଯିବ ଏବଂ ନାଲି ରଙ୍ଗର ବର୍ଡର ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସ୍କୁଲ ୟୁନିଫର୍ମରେ ରହିବନି ସବୁଜ ରଙ୍ଗ
ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେପି ସରକାର। ଗୋଟିଏ ବର୍ଷ ପରେ ୟୁନିଫର୍ମର ରଙ୍ଗ ବଦଳାଇବାକୁ ଯୋଜନା କରିଛନ୍ତି ନୂଆ ସରକାର। ୨୦୨୩-୨୪ ଶିକ୍ଷା ବର୍ଷରେ ବିଜେଡି ସରକାର ସମୟରେ ସ୍କୁଲ ୟୁନିଫର୍ମର ରଙ୍ଗ ହଣ୍ଟର ଗ୍ରିନ କରାଯାଇଥିଲା। ସରକାର ବଦଳିବା ପରେ ସ୍କୁଲ ୟୁନିଫର୍ମର ରଙ୍ଗ ମଧ୍ୟ ବଦଳିଯିବ।
ନୂଆ ସରକାରଙ୍କ ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସରକାରୀ ସ୍କୁଲ କୋଠାଗୁଡ଼ିକର ରଙ୍ଗ ବଦଳାଇବା ନିର୍ଦ୍ଦେଶକୁ ନେଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରୁଛି ବିରୋଧୀ ବିଜେଡି।
Tags: #Politics #OdishaPolitics #BJPGovt #OdishaGovt #GovtBuildingColourchange