ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନରେ ସୋମବାର ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏନେଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।
ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ପ୍ରଦେଶ ଗଠନ ଓ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସେମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏନେଇ ଜୟନାରାୟଣ ମିଶ୍ରଙ୍କ କ୍ଷମା ପ୍ରାର୍ଥନା ସହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେମାନେ ଦାବି କରିଥିଲେ।
ଏହି ସମୟରେ ଏକାଧିକ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ। ଗୃହ ମୁଲତବୀ ହେବାପରେ ବିଜେଡି ବିଧାୟକମାନେ ଗୃହ ବାହାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।
ଶନିବାର ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ ଉତ୍ସବରେ ଯୋଗ ଦେଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶରେ କୋଶଳ ତଥା ପଶ୍ଚିମ ଓଡ଼ିଶାର ମିଶ୍ରଣକୁ ଐତିହାସିକ ଭୁଲ ବୋଲି କହିଥିଲେ ଜୟନାରାୟଣ ମିଶ୍ର। ଏହାସହ ସେ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବା ସମୟରେ ଠିଆ ହୋଇନଥିଲେ।
“ଉତ୍କଳ, କୋଶଳ ଓ କଳିଙ୍ଗ ମିଶିକି ଓଡ଼ିଶା ପ୍ରଦେଶ ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ହେବ, କଳିଙ୍ଗ ଓ କୋଶଳର ଜୟଗାନ କାହିଁକି ହେବ ନାହିଁ। ଅର୍ଥନୈତିକ ତଥା ସଂସ୍କୃତିକ କ୍ଷେତ୍ରରେ ଆମକୁ ଆଜି ଶୋଷଣ କରାଯାଉଛି। ଆମର ଓଡ଼ିଶା ପ୍ରଦେଶରେ ମିଶିବା ଏକ ଐତିହାସିକ ଭୁଲ୍ ଥିଲା”, କହିଥିଲେ ଜୟନାରାୟଣ ମିଶ୍ର।
ଜୟନାରାୟଣଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ସରକାରକୁ ଆସିଥିବା ବିଜେପି ଏବେ ରାଜ୍ୟର ବିଭାଜନ କରିବାକୁ ଚାହୁଁଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି।
Tags: #OdishaAssembly #BudgetSession #MLAJayanarayanMishra #Politics #Odisha

















