ଓଡ଼ିଶାଲାଇଭ୍ ବ୍ୟୁରୋ

ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ଦିନ ବିଧାନସଭାରେ ‘ମୋ ବସ୍’କୁ ନେଇ ଉଠିଲା ପ୍ରଶ୍ନ। ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
‘ମୋ ବସ୍’ରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି ନାହିଁ ଏବଂ ‘ମୋ ବାସ୍’ ଧକ୍କାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିରାଧୀ ବିଧାୟକ।
ଏହାର ଉତ୍ତର ରଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଭୁବନେଶ୍ଵର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ ଦ୍ଵାରା ୩୭୫ଟି ବସ୍ ଚଳାଚଳ କରୁଛି। ‘ମୋ ବସ୍’ର ବେଗ କମାଇବା ପାଇଁ ନିଷ୍ପତ୍ତି ହୋଇଛି।
ମନ୍ତ୍ରୀ ଆହୁରି କହିଛନ୍ତି, ସହର ଭିତରେ ଇଲେକ୍ଟ୍ରିକ ଚାଳିତ ‘ମୋ ବସ’ ପାଇଁ ଘଣ୍ଟା ପ୍ରତି ୩୫ କିଲୋମିଟର ବେଗ ଧାର୍ଯ୍ୟ ହୋଇଥିବାବେଳେ ଡିଜେଲ ବସ୍ ପାଇଁ ୪୦ କିଲୋମିଟର ଏବଂ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗ ଧାର୍ଯ୍ୟ କରାଯାଇଛି।
୨୦୨୪ ଜୁନ ପରଠାରୁ ଭୁବନେଶ୍ଵର, କଟକ ଏବଂ ପୁରୀ ଅଞ୍ଚଳରେ ୧୯ଟି ‘ମୋ ବସ୍’ ଦୁର୍ଘଟଣା ହୋଇଥିବାବେଳେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଜଣ ଆହତ ହୋଇଛନ୍ତି।
୨୦୨୫ ମସିହା ଫେବ୍ରୁଆରି ମାସରେ ଦୁଇଟି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
Tags: #MoBus #SpeedLimit #Town #Bhubaneswar #OdishaAssembly #Odisha

















