ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଏହା ସ୍ଵାଭାବିକ ଭାବେ ଚାଲିପାରୁନାହିଁ। ମଙ୍ଗଳବାର ଗୃହରେ ଆରମ୍ଭରୁ ଶାସକ-ବିରୋଧୀ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ କରାଯାଇଥିଲା।
ମଙ୍ଗଳବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳ ସମୟରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଓ ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି ଉଭୟେ ସରକାରଙ୍କୁ ଘେରିଥିଲେ। ଜୟନାରାୟଣ ମିଶ୍ରଙ୍କ କ୍ଷମା ପ୍ରାର୍ଥନା ସହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେମାନେ ଦାବି କରି ହଟ୍ଟଗୋଳ କରିଥିଲେ।
ଏକାଧିକ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହି ସମୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବିବୃତ୍ତି ରଖୁଥିବାବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ। ଏନେଇ ଗୃହ ରଣକ୍ଷେତ୍ର ପାଲଟିଥିଲା।
ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ। ଗୃହ ମୁଲତବୀ ହେବାପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।
Tags: #OdishaAssembly #BudgetSession #Politics #Odisha

















