ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୁବ ସମ୍ମିଳନୀରେ ମହିଳାଙ୍କୁ ଉଦ୍ୟୋଗୀ କରିବା ଦିଗରେ ଗୁରୁତ୍ଵାରୋପ।

ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହି ଦିନ ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଦିଆଯାଇଥାଏ। ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। 

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ‘ଉଦ୍ୟୋଗ ବିକାଶ କ୍ଷେତ୍ରରେ ମହିଳାଙ୍କ ଭୂମିକା’ ଉପରେ ଏକ ବିଶେଷ ଅଧିବେଶନ କରାଯାଇଥିଲା।

ଏହି ଅଧିବେଶନରେ ଇନଫୋସିସର ଉପସଭାପତି ତଥା ସିନିୟର ଗ୍ରୁପ ମ୍ୟାନେଜର ରଶ୍ମି ବିଶ୍ୱକର୍ମା, କୋଜେଣ୍ଟସ୍ ଟେକ୍ନୋଲୋଜିସର ସହପ୍ରତିଷ୍ଠାତା ତଥା ଚିଫ୍ ଗ୍ରୋଥ ଅଫିସର ରୋଜାଲିନ ମହାନ୍ତି, ଅରାସିଓରର ସହପ୍ରତିଷ୍ଠାତା ତଥା ସିଇଓ ଆକାଂକ୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।

ଭୁବନେଶ୍ୱର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟର ଉପନିର୍ଦ୍ଦେଶିକା ତଥା ଏନଏଚଆରଡିର କାର୍ଯ୍ୟନିର୍ବାହୀ ସଦସ୍ୟା ପ୍ରଫେସର ଶ୍ରଦ୍ଧାଞ୍ଜଳି ପାଢ଼ୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ୍ ବିଭାଗର ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍ ଓ ଏନଏଚଆରଡି ନେଟୱର୍କ ମିଳିତ ଆନୁକୂଲ୍ୟରେ ’ଏମପାୱରିଂ ଓମେନ, ଫୋଷ୍ଟରିଂ ଅନ୍ତ୍ରପ୍ରିନ୍ୟୁରସିପ୍’ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥିମାନେ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏଥିରେ ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ, ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ଏବଂ ଏନଏଚଆରଡି ନେଟୱର୍କ, ଭୁବନେଶ୍ୱର ଶାଖାର ସମ୍ପାଦିକା ପଦ୍ମାଳୟା ମାନ୍ଧାତା ପ୍ରମୁଖ ଯୋଗ ଦେଇଥିଲେ।

ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଆକ୍ସେଲିରେଟ୍ ଆକ୍ସନ’। ଅର୍ଥାତ, ନାରୀ ସଶକ୍ତିକରଣ ପାଇଁ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପକୁ ଆମେ ମିଳିତ ଭାବେ କିପରି ଆହୁରି ତ୍ୱରାନ୍ୱିତ କରିବା। ତେଣୁ ପରିବାର ସ୍ତରରୁ କର୍ମକ୍ଷେତ୍ର ଏବଂ ସମାଜର ପ୍ରତ୍ୟେକ ପାହାଚରେ ସେମାନଙ୍କ ପାଇଁ କିପରି ସମାନତା ସୃଷ୍ଟି କରାଯାଇ ପାରିବ ତା’ ଉପରେ ଏହି ୟୁଥ୍ କନକ୍ଲେଭ ଅବସରରେ ଗୁରୁତ୍ୱ ଦିଆଯାଇଥିଲା।

ରମାଦେବୀ ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି ଯୁବ ସମ୍ମିଳନୀରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ଇକୋସିଷ୍ଟମ ପାର୍ଟନର୍ ଭାବେ ଯୋଡ଼ି ହୋଇଥିଲା।

Tags: #InternationalWomensDay2025 #YouthConclave #WomenEmpowerment #Entrepreneurship #AccelerateAction #RDWU #Bhubaneswar

Comment