ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସର୍ବବୃହତ ଗଣତନ୍ତ୍ରରେ ବହୁ ପଛରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ।

ବିଶ୍ଵର ସର୍ବବୃହତ ଗଣତନ୍ତ୍ର ଭାରତରେ ଆଜି ରାଜନୈତିକ କ୍ଷେତ୍ରରେ ବହୁ ପଛରେ ମହିଳା। ଭାରତର ସଂସଦ ହେଉ କି କ୍ୟାବିନେଟ ଏଥିରେ ମହିଳାଙ୍କ ଅଂଶଗ୍ରହଣ ଏବେ ବି ନାମମାତ୍ର। ନିର୍ବାଚନ ସମୟରେ ମହିଳା ସଶକ୍ତିକରଣ ବିଷୟରେ ବହୁ ଆଲୋଚନା ହୁଏ, ହେଲେ ଯେତେବେଳେ ସେମାନଙ୍କୁ ରାଜନୈତିକ କ୍ଷମତାରେ ଅଂଶୀଦାର କରିବାର କଥା ଆସେ, ଫଳାଫଳ ନୈରାଶ୍ୟଜନକ ହୋଇଥାଏ।

ବିଶ୍ୱର ଅନେକ ଦେଶ ମହିଳା ନେତୃତ୍ୱକୁ ଆଗକୁ ବଢ଼ାଇବା ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି, କିନ୍ତୁ ଭାରତ ଏବେ ମଧ୍ୟ ପଛରେ ରହିଛି। ରାଜନୀତିରେ ପୁରୁଷ ପ୍ରାଧାନ୍ୟ, ଟିକେଟ୍ ବଣ୍ଟନରେ ଭେଦଭାବ, ସମ୍ବଳର ଅଭାବ ଏବଂ ନିର୍ବାଚନୀ ହିଂସା ମହିଳାଙ୍କୁ ଆଜି ମଧ୍ୟ ବହୁ ପଛରେ ରଖିଛି।

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ (ଆଇପିୟୁ) ଏବଂ ମିଳିତ ଜାତିସଂଘ ମହିଳା ପରିଷଦ (ୟୁଏନ ୱମେନ) ଦ୍ୱାରା ପ୍ରକାଶିତ ‘ୱମେନ ଇନ ପଲିଟିକ୍ସ-୨୦୨୫’ ରିପୋର୍ଟ ଅନୁଯାୟୀ, ଭାରତରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ ଏବେ ବି ବହୁତ କମ୍ ରହିଛି। ରାଙ୍କ ଅନୁସାରେ ଦେଖିବାକୁ ଗଲେ ବିଶ୍ୱରେ ଭାରତର ସ୍ଥାନ ୧୫୨ ନମ୍ବରରେ ରହିଛି। ଏଥିରେ ଭାରତ ନିଜ ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶରୁ ପଛରେ ରହିଛି।

ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଭାରତୀୟ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୭୫। ଅର୍ଥାତ ଲୋକସଭାର ୫୪୪ ଟି ସିଟକୁ ଦେଖିଲେ ସେଥିରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର ୧୩.୮ ପ୍ରତିଶତ ରହିଛି। ସେହିପରି ରାଜ୍ୟସଭାରେ ମଧ୍ୟ ମହିଳାଙ୍କ ସ୍ଥିତି ମାତ୍ର ୧୬.୭ ପ୍ରତିଶତ ରହିଛି। ରାଜ୍ୟସଭାରେ ଥିବା ୨୩୪ଟି ସିଟ ମଧ୍ୟରୁ ମାତ୍ର ୩୯ଟି ସିଟରେ ମହିଳାଙ୍କ ଅଂଶଗ୍ରହଣ ରହିଛି।

ସେହିପରି ଭାରତରେ କେନ୍ଦ୍ର କ୍ୟାବିନେଟ ବିଷୟରେ କହିବାକୁ ଗଲେ, ଏଥିରେ ୩୬ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୨ ଜଣ ମହିଳା ରହିଛନ୍ତି। ଏନେଇ ରିପୋର୍ଟରେ ପ୍ରକାଶିତ ରାଙ୍କ ଅନୁସାର ଭାରତର ସ୍ଥାନ ବିଶ୍ଵରେ ବହୁ ପଛରେ ୧୭୪ ନମ୍ବର ସ୍ଥାନରେ ରହିଛି।

ଅନ୍ୟପକ୍ଷରେ, ଛୋଟ ଦେଶଗୁଡ଼ିକ ମହିଳାମାନଙ୍କୁ ରାଜନୀତିରେ ଆଗକୁ ବଢ଼ିବା ପାଇଁ ପୂର୍ଣ୍ଣ ସୁଯୋଗ ଦେଉଛନ୍ତି। ରୱାଣ୍ଡା ସଂସଦରେ ଥିବା ୮୦ ସିଟ ମଧ୍ୟରୁ ୫୧ଟି ସିଟରେ ମହିଳାଙ୍କ ସ୍ଥାନ ରହିଛି। କ୍ୟୁବାରେ ମଧ୍ୟ ରାଜନୀତିନରେ ବହୁ ଆଗରେ ରହିଛନ୍ତି ମହିଳା। କ୍ୟୁବା ସଂସଦରେ ଥିବା ୪୭୦ ସିଟ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୨୬୨ ରହିଛି।

ସେହିପରି ପାକିସ୍ତାନ ମଧ୍ୟ ଭାରତ ଠାରୁ ରାଜନୀତିରେ ମହିଳା ଅଂଶଗ୍ରହଣରେ ଆଗରେ ରହିଛି। ପାକିସ୍ଥାନ ସଂସଦରେ ଥିବା ୩୧୧ ସିଟ ମଧ୍ୟରୁ ୫୩ଟି ସିଟରେ ମହିଳା ରହିଛନ୍ତି। ପାକିସ୍ତାନ ସଂସଦରେ ୧୭ ପ୍ରତିଶତ ମହିଳା ସଦସ୍ୟ ରହିଥିବାବେଳେ ଭାରତ ସଂସଦରେ ସେମାନଙ୍କ ସଂଖ୍ୟା ମାତ୍ର ୧୩.୮ ପ୍ରତିଶତ ରହିଛି।

ଅନ୍ୟପଟେ ମନ୍ତ୍ରିମଣ୍ଡଳକୁ ନଜର ପକାଇଲେ ମଧ୍ୟ ଆମେରିକୀୟ ଦେଶ ନିକାରାଗୁଆ ଏବଂ ୟୁରୋପର ଫିନଲାଣ୍ଡ, ଆଇସଲାଣ୍ଡ, ସ୍ଵିଡେନ ସମେତ ଅନ୍ୟାନ୍ୟ ଦେଶରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ବହୁତ ଅଧିକ।

ଓଡ଼ିଶାର ସ୍ଥିତି

ମହିଳାଙ୍କୁ ରାଜନୈତିକ ସଂରକ୍ଷଣ ଦେବାରେ ଓଡ଼ିଶା ସମଗ୍ର ଭାରତରେ ଆଗୁଆ। ୧୯୯୩ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ପଞ୍ଚାୟତିରାଜ ଆଇନ ଆସିଥିଲା। ଏହା ଅନୁସାରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ରହୁଛି। ଭାରତର ଅନ୍ୟ ରାଜ୍ୟରେ ଏହି କ୍ଷେତ୍ରରେ ମହିଳାଙ୍କ ପାଇଁ ସଂରକ୍ଷଣ ମାତ୍ର ୩୩ ପ୍ରତିଶତ।

ପଞ୍ଚାୟତ ସ୍ତରକୁ ଛାଡ଼ିଦେଲେ ରାଜ୍ୟ ରାଜନୀତିରେ ମହିଳାଙ୍କ ସଂଖ୍ୟା ବହୁ କମ ରହିଛି। ଯଦିଓ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜଣେ ମହିଳା ରହିଛନ୍ତି ତଥାପି ବିଧାନସଭାରେ ଥିବା ୧୪୭ଟି ସିଟ ମଧ୍ୟରୁ ମାତ୍ର ୧୧ ଜଣ ମହିଳା ରହିଛନ୍ତି। ସାଧାରଣ ନିର୍ବାଚନରେ ଓଡ଼ିଶାରେ ମହିଳାମାନଙ୍କ ରାଜନୈତିକ ଅଂଶଗ୍ରହଣ ମଧ୍ୟ ଜାତୀୟ ହାରଠାରୁ କମ୍ ରହିଛି। ଏପରିକି ଅନେକ ଜିଲ୍ଲାରେ ଜଣେ ହେଲେ ମହିଳା ବିଧାୟକ ନାହାନ୍ତି।

ଭାରତରେ ଆଗକୁ ହେବ କ’ଣ?

ତେବେ ଭାରତର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ଉଦ୍ଦେଶ୍ୟରେ ୨୦୨୩ରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି। ଏହା ଫଳରେ ଆଗକୁ ଭାରତର ସଂସଦ ଓ ସବୁ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ। ଏହାସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ସଂରକ୍ଷିତ ଥିବା ଆସନରେ ମଧ୍ୟ ମହିଳାଙ୍କୁ ଆଶାୟୀଙ୍କୁ ସଂରକ୍ଷଣ ମିଳିବ।

ତେବେ ଏହା ୨୦୨୯ ମସିହା ନିର୍ବାଚନ ବେଳେ ହିଁ ଲାଗୁ ହେବ। ଦେଶରେ ଜନଗଣନା ଓ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ହେବାପରେ ଏହି ବ୍ୟବସ୍ଥା ଲାଗୁ ହେବ।

Tags: #WomeninPolitics #IndianParliament #Politics #WomenReservationBill #India

Comment