ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
ଡାକ୍ତର ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦେବେନ୍ଦ୍ର ପ୍ରଧାନ ତିନି ଥର ବିଜେପି ରାଜ୍ୟ ସଭାପତି ଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରେ କେନ୍ଦ୍ର ସଡ଼କ ପରିବହନ ଓ କୃଷି ମନ୍ତ୍ରୀ ଥିଲେ। ସେ ବିଜେପିରୁ ଦୁଇଥର ସଂସଦକୁ ନିର୍ବାଚିତ ହୋଇଥିଲେ।
ଡାକ୍ତର ଦେବେନ୍ଦ୍ର ପ୍ରଧାନ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ୨୦୦୧ରୁ ୨୦୦୨ ଯାଏଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ।
୧୯୯୮ରେ ସେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୬ ମସିହାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ ପାସ କରିଥିଲେ। ଦେବେନ୍ଦ୍ର ପ୍ରଧାନ ପେସାରେ ଡାକ୍ତର ଥିଲେ। ତେବେ ୧୯୭୩ ମସିହାରେ ସେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
Tags: #DebendraPradhan #FormerUnionMinister #Politician #Death #Odisha