ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଗ୍ରାମୀଣ ଜୀବନରେ ଭାଗବତ ଟୁଙ୍ଗି ଏକ ଅବିଚ୍ଛେଦ ଅଙ୍ଗ। ସଞ୍ଜ ନଇଁଲେ ଗାଁର ଭାଗବତପ୍ରେମୀମାନେ ଏକାଠି ହୋଇ ଭାଗବତ ଟୁଙ୍ଗିରେ ଗ୍ରାମୀଣ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା ଭାବକୁ ବାନ୍ଧି ରଖୁଥିଲେ। ଏବେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଭାଗବତ ଟୁଙ୍ଗିର ଆଦର କମିବାକୁ ଲାଗିୁଛି। ଓଡ଼ିଶାର ସାଂସ୍କୃତିକ ପରିଚୟ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଯତ୍ନବାନ ହୋଇଛି ଶ୍ରୀଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ।

ବିଗତ ଦିନର ଭାଗବତ ଟୁଙ୍ଗି ଓ ପଖାଳର ସମ୍ବନ୍ଧକୁ ନେଇ ଭୁବନେଶ୍ଵରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଅଶୋକ ମହାପାତ୍ର, ଡକ୍ଟର ଜୟନ୍ତ ପଣ୍ଡା, ପୁରୋହିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡକ୍ଟର ମନୋଜ ରାୟ, ଡକ୍ଟର ପ୍ରଦୀପ ଆଚାର୍ଯ୍ୟ, ପ୍ରଭାକର ମଲ୍ଲିକ, ନରଞ୍ଜନ ଦାଶ, ବୈକୁଣ୍ଠ ମହାପାତ୍ର ଓ ସୁରେଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମହନ୍ତ ରାମକୃଷ୍ଣ ଦାସ ମହାରାଜ କହିଥିଲେ, ଓଡ଼ିଆ ସଂସ୍କୃତି ପରିଚୟ ଭାଗବତ ଟୁଙ୍ଗିର ଆଦର ଏବେ କମିବାକୁ ଲାଗିଛି। ତେଣୁ ଏହାର ପୁନରୁଦ୍ଧାର ପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ପୂର୍ବରୁ ଗାଁମାନଙ୍କରେ ଲୋକେ ନିଜ କାମ ସାରି ପଖାଳ କଂସେ ଖାଇ ଭାଗବତ ଟୁଙ୍ଗିରେ ଏକାଠି ହେଉଥିଲେ। ଗ୍ରାମୀଣ ସଂସ୍କୃତି ପରମ୍ପରା ଓ ଭାଇଚାରା ଭାବକୁ ବାନ୍ଧି ରଖୁଥିଲେ। ଗାଁରେ ହେଉଥିବା ସମସ୍ୟାର ସମାଧାନ କରୁଥିଲେ। କିନ୍ତୁ ଆଜି ଆଉ ଏସବୁ ଦେଖିବାକୁ ମିଳୁନାହିଁ ବୋଲି ଅତିଥିମାନେ କହିଥିଲେ।

ଏହି ଅବସରରେ ଶ୍ରୀଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ସୁଶୀଳ ପଟ୍ଟନାୟକ, ଶୈଳେନ୍ଦ୍ର ବାବୁ, ସ୍ଵର୍ଣ୍ଣଲତା ପାଣି, ଅନାମିକା ସ୍ଵାଇଁ ପଟ୍ଟନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ପୁଷ୍ପଲତା ରାଉତରାୟ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଶ୍ରୀଗଜନ୍ନାଥ ପରିବାରର ଆବାହକ ଭଗବାନ ଦାଶ, ଡକ୍ଟର ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #OdiaBhagabat #BhagabatTungi #Pakhaldivas #Bhubaneswar #ShreeJagannathParibarCharitableTrust

Comment