ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହେବ ୨୦୨୫ ମାଟ୍ରିକ ପରୀକ୍ଷା ଖାତାଦେଖା। ଏଥିରେ ୧୧ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ମାଟ୍ରିକ ଖାତାଦେଖା ୧୨ ଦିନ ଧରି ଚାଲିବ। ଏଥିରେ ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି। ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତାଦେଖା ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଖାତା ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ସମସ୍ତ ୩୦ଟି ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିଥିଲା। ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।

Tags: #MatricExam #Evaluation #Students #Teachers #BSE #Odisha

LEAVE A REPLY

Please enter your comment!
Please enter your name here