ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଜି, ବୁଧବାର ଦିନଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତା ଦେଖା। ରାଜ୍ୟର ମୋଟ ୫୧ଟି ସେଣ୍ଟରରେ ଖାତା ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ୪୭ଟି ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ରହିଥିବାବେଳେ ୨ଟି ମଧ୍ୟମା ଓ ୨ଟି ଷ୍ଟେଟ ଓପନ ସ୍କୁଲ ଖାତା ମୂଲ୍ୟାୟନ ପାଇଁ ରହିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଖାତା ଦେଖିବା ଲାଗି ବୋର୍ଡ ପକ୍ଷରୁ ନିୟୋଜିତ ହୋଇଛନ୍ତି ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀ। ୧୨ ଦିନ ମଧ୍ୟରେ ଖାତାଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ଆଶା ରଖିଛି।

ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ହୋଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖିବା ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଖାତା ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ୩୦ଟି ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ଗତ ଫେବ୍ରୁଆରି ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିଥିଲା। ଚଳିତ ଥର ରାଜ୍ୟର ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Tags: #MatricExam #Evaluation #Students #Teachers #BSE #Odisha

Comment