ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ୍ ଫଟୋ

ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାର ଉଦଘାଟନ କରିବେ। ଚଳିତ ବର୍ଷ ତୋଷାଳି ମେଳାର ଉନବିଂଶ ତମ ସଂସ୍କରଣ ଆୟୋଜିତ ହେଉଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଏହି ମେଳା ଚାଲିବ।

ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲର ବ୍ୟବସ୍ଥା ହୋଇଛି। ଏଥିରେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ରାଜ୍ୟ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହାସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ।

“ତୋଷାଳି ମେଳା ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ ହେବ। ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି  ନିମନ୍ତେ ଏହା ଏକ ବଜାର ଯୋଗାଇଦେବ। ଏଥର ମେଳାର ସଫଳତାର ସହ ଆୟୋଜନ ଲାଗି ସବୁ ବ୍ୟବସ୍ଥା କରାଯାଇଛି”, କହିଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।

ଚଳିତ ବର୍ଷ ତୋଷାଳି ମେଳାର ବିଶେଷ ଆକର୍ଷଣ ପଲଟିବ ସ୍ଵତନ୍ତ୍ର ଥିମ ପାଭିଲିଅନ୍ ‘ଶିଳ୍ପ ସୃଜନୀ’। ଏହାକୁ ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସବୁ ପ୍ରଦର୍ଶିତ ହେବ।

ପ୍ରତିଦିନ ଏହି ମେଳା ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ‘ଫ୍ୟାସନ ସୋ’ର ମଧ୍ୟ ଆୟୋଜନ କରାଯିବ।

ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

Tags: #ToshaliMela2025 #NationalCraftFair #Handicrafts #Bhubaneswar #ତୋଷାଳିମେଳା

Comment