ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆରମ୍ଭ ହୋଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାର ଉଦଘାଟନ କରିଛନ୍ତି। ଚଳିତ ବର୍ଷ ତୋଷାଳି ମେଳାର ଉନବିଂଶ ତମ ସଂସ୍କରଣ ଆୟୋଜିତ ହେଉଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଏହି ମେଳା ଚାଲିବ।
“ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଆମ ଗୌରବମୟ ଐତିହ୍ୟର ପ୍ରତୀକ। ଏହା ଓଡ଼ିଆ ଅସ୍ମିତାର ପରିଚୟ। ଅନେକ ଶିଳ୍ପୀ ଓ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ହସ୍ତତନ୍ତ, ହସ୍ତଶିଳ୍ପର ବଜାର ଅଛି, ଆଦର ଅଛି। ସେ ସବୁର ବ୍ୟବସାୟ ଓ ପ୍ରଚାର ପ୍ରସାର ପାଇଁ ତୋଷାଳି ମେଳାର ଆୟୋଜନ ସଫଳ ରହିବ ବୋଲି ଆମର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରଇ ମଧ୍ୟ କହିଛନ୍ତି, “୨୦୨୫-୨୬ ଆର୍ଥିକ ବର୍ଷରେ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ ଆମେ ବଜେଟରେ ୫୨ କୋଟି ଟଙ୍କାର ବ୍ୟୟ ବରାଦ କରିଛୁ। ସେହିପରି ବୟନ ଓ ହସ୍ତତନ୍ତ ଶିଳ୍ପ ପାଇଁ ୧୨୨ କୋଟି ଟଙ୍କା ଲେଖାଏଁ ବ୍ୟୟ ବରାଦ ହୋଇଛି। ଚଳିତ ବର୍ଷ ରାଜ୍ୟର ୬ ହଜାର କାରିଗରଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେବାର ଯୋଜନା ରହିଛି। ଚଳିତବର୍ଷ ରାଜ୍ୟର ୯ଟି ହସ୍ତଶିଳ୍ପ ଉତ୍ପାଦକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯିବ।”
ଚଳିତବର୍ଷ ତୋଷାଳି ମେଳାରେ ୬୫୦ରୁ ଅଧିକ ଷ୍ଟଲର ବ୍ୟବସ୍ଥା ହୋଇଛି। ଏଥିରେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ରାଜ୍ୟ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହାସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିଛି।
ଚଳିତ ବର୍ଷ ତୋଷାଳି ମେଳାର ବିଶେଷ ଆକର୍ଷଣ ପଲଟିଛି ସ୍ଵତନ୍ତ୍ର ଥିମ ପାଭିଲିଅନ୍ ‘ଶିଳ୍ପ ସୃଜନୀ’। ଏହାକୁ ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସବୁ ପ୍ରଦର୍ଶିତ ହେବ।
ପ୍ରତିଦିନ ଏହି ମେଳା ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ‘ଫ୍ୟାସନ ସୋ’ର ମଧ୍ୟ ଆୟୋଜନ କରାଯିବ।
ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ତୋଷାଳି ମେଳାର ଉଦଘାଟନ ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବିଭାଗୀୟ କମିଶନର ତଥା ସଚିବ ଗୁହା ପୁନମ୍ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତି ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ।
ags: #ToshaliMela2025 #NationalCraftFair #Handicrafts #Bhubaneswar #ତୋଷାଳିମେଳା