ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଧାନସଭାରେ ବସ୍ତା ବିଧାୟିକା ସୁବାସିନୀ ଜେନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇବା ପରେ ଏହା ଉପରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ବିଧାୟିକା ସୁବାସିନୀ ଜେନା ଗତ ଶୁକ୍ରବାର ଦିନ ଗୃହରେ ପ୍ରଶ୍ନ ପଚାରିଥିଲେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଭିତ୍ତିଭୂମି ସୁରକ୍ଷା ସମୀକ୍ଷା କମିଟି ଗଠନ ହୋଇଛି କି ନାହିଁ ଓ ଏ କମିଟି ପ୍ରତିବର୍ଷ ଜୁନ ମାସରେ ରିପୋର୍ଟ ପ୍ରଦାନ କରୁଛି କି ନାହିଁ?  

କାରଣ ଏକ ରିଟ୍ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ୨୦୨୪ ମସିହା ଜୁନ ମାସରେ ଏହି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ଅନୁଷ୍ଠାନର ମୁଖ୍ୟ ସଦସ୍ୟ ରହିବେ। କମିଟିର ବୈଠକ ବର୍ଷକୁ ଅତି କମରେ ଦୁଇଥର ବସିବ ଏବଂ ବିଦ୍ୟାଳୟରେ କୌଣସି ଅଘଟଣ ପାଇଁ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ ଦାୟୀ ରହିବେ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍କୁଲର ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଖବର ଆସିବା ପରେ ବିଧାୟିକା ସୁବାସିନୀ ଜେନା କ୍ଷୋଭ ପ୍ରକାଶ କରିଥିଲେ। ବିଭିନ୍ନ ଗଣ ସଂଗଠନ ମଧ୍ୟ ଏହି ଘଟଣାରେ ସରକାରଙ୍କୁ ଘେରିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସମଗ୍ର ରାଜ୍ୟରେ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ତେବେ ଗତ ୯ ମାସ ଧରି ଚୁପ ବସିଥିବା ରାଜ୍ୟ ସରକାର ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ସମାନ ଦିନରେ ତରବରିଆ ଭାବେ ପଦକ୍ଷେପ ନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ମହାବିଦ୍ୟାଳୟକୁ ପତ୍ର ଲେଖି ସେମାନଙ୍କ ଅନୁଷ୍ଠାନରେ ଥିବା ଶ୍ରେଣୀଗୃହ, ପରୀକ୍ଷାଗାର, କାର୍ଯ୍ୟାଳୟ, ପାଇଖାନା ଭଳି ଭିତ୍ତିଭୂମିର ସ୍ଥିତି ଶୀଘ୍ର ଆକଳନ କରି ଜଣାଇବାକୁ କନିର୍ଦ୍ଦେଶ ଦେଇଛନ୍ତି।

Tags: #OdishaAssembly #BastaMLA #SubasiniJena #OdishaGovt

LEAVE A REPLY

Please enter your comment!
Please enter your name here