ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରଣହୁଙ୍କାର ଦେଇଛି କଂଗ୍ରେସ। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ ନେତା ଓ କର୍ମୀ। ପୋଲିସର ଲାଠିମାଡ଼ ପରେ କଂଗ୍ରେସ କର୍ମୀଙ୍କ ଢେଲା ପଥର ମାଡ଼ ଯୋଗୁଁ କିଛି ସମୟ ଧରି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି।
ରାଜ୍ୟରେ ନାରୀ ସୁରକ୍ଷା ଏବଂ ବିଧାନସଭାରୁ ସମସ୍ତ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି କଂଗ୍ରେସ। ଏହାକୁ ନେଇ ବିଧାନସଭା ଘେରିବା ଲାଗି ଚେତାବନୀ ଦେଇଥିଲା କଂଗ୍ରେସ।
ଭୁବନେଶ୍ଵର ରାମମନ୍ଦିର ଛକଠାରେ ଗୁରୁବାର ଦିନ ଏକାଠି ହୋଇଥିଲେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା ଏବଂ କର୍ମୀ। ସେଠାରୁ ପଦଯାତ୍ରାରେ ବାହାରି ପହଞ୍ଚିଥିଲେ ଲୋୟର ପିଏମଜିଠାରେ। ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣି ଗର୍ଜନ କରିଥିଲେ କଂଗ୍ରେସ ନେତା ଓ କର୍ମୀ। କିଛି ସମୟ ପରେ ସେମାନେ ଲୋୟର ପିଏମଜିଠାରେ ବ୍ୟାରିକେଟ ଭାଙ୍ଗି ବିଧାନସଭା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ସେମାନଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା। ଏହି ସମୟରେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ଓ ଠେଲା ପେଲା ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ପୋଲିସର ଲାଠି ମାଡ଼। ଏହାର ପ୍ରତିବାଦରେ ଢେଲା ପଥର ଉଠାଇଥିଲେ କଂଗ୍ରେସ କର୍ମୀ।
କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା ଲୋୟାର ପିଏମଜି। ଆନ୍ଦୋଳନକାରୀଙ୍କୁ ରୋକିବା ଲାଗି ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Tags: #Politics #OdishaPolitics #CongressProtest #OdishaAssembly #Odisha