ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅନ୍ତର୍ଜାତୀୟ ଜିରୋ ୱେଷ୍ଟ ଡେ। ୨୦୨୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୩୦ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା ସହ କିପରି ବର୍ଜ୍ୟବସ୍ତୁକୁ ପରିଚାଳନା କରିବା। ତେବେ ଚଳିତ ବର୍ଷର ଥିମ ରହିଛି, ଫ୍ୟାଶନ ଏବଂ ବୟନଶିଳ୍ପ ଦ୍ଵାରା ହେଉଥିବା ବର୍ଜ୍ୟବସ୍ତୁକୁ କିପରି ପରିଚାଳନା କରିହେବ।

ଅଦରକାରୀ ପୋଷାକ ଏବେ ଚିନ୍ତାର କାରଣ 

ଆଜିକାଲିର ଫ୍ୟାଶନରେ ଗୋଟେ ପୋଷାକକୁ ବାରମ୍ବାର ପିନ୍ଧିବାକୁ ପସନ୍ଦ କରୁନାହାନ୍ତି ଯୁବପିଢ଼ି। ସେମାନେ ପ୍ରତିଦିନ ଭିନ୍ନ ଭିନ୍ନ ଡିଜାଇନର ଡ୍ରେସ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ଗୋଟିଏ ପୋଷାକକୁ ଦୁଇରୁ ତିନିଥର ପିନ୍ଧିବା ପରେ ତାହାକୁ ଫିଙ୍ଗି ଦେଉଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଏହି ଅଦରକାରୀ ପୋଷାକ ଏବେ ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଛି।

ନିକଟରେ ଚିଲିର ଆଟାକାମା ମରୁଭୂମିରେ ଜମା ହୋଇଥିବା ଅଦରକାରୀ ପୋଷାକ ମହାକାଶରୁ ମଧ୍ୟ ଦୃଶ୍ୟମାନ ହେଉଛି। ସେହିପରି ବାଂଲାଦେଶର ରାଜଧାନୀ ଢାକାର ଏକ ନଦୀର ପାଣି, ପୋଷାକ ରଙ୍ଗରେ ବ୍ୟବହୃତ ରାସାୟନିକ ପଦାର୍ଥ ଯୋଗୁଁ କଳା ହୋଇଯାଇଛି। କେବଳ ଏତିକି ନୁହେଁ ବୈଜ୍ଞାନିକମାନେ ମାଛପେଟରେ କୃତ୍ରିମ ତନ୍ତୁ ପାଇଛନ୍ତି।

ଏଲେନ୍ ମ୍ୟାକଆର୍ଥର୍ ଫାଉଣ୍ଡେସନ୍ ଅନୁସାରେ, ବିଶ୍ୱରେ ମୋଟ ୮ ଶତକଡ଼ା ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗତ କରୁଛି ଏହି ଫ୍ୟାଶନ ଏବଂ ବୟନଶିଳ୍ପ।

“ଫ୍ୟାଶନ ଓ ବୟନଶିଳ୍ପରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ରୋକାଯାଇପାରିବ। ଆମେ ସ୍ଵଚ୍ଛ, ସୁନ୍ଦର ପରିବେଶ ପାଇଁ ଏହି ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ”, କହିଛନ୍ତି ୟୁଏନଇପିର ମାର୍କେଟିଂ ଓ ରିସୋର୍ସ ମୁଖ୍ୟ ଏଲିସା ଟୋଣ୍ଡା।

ଫ୍ୟାଶନ ଏବଂ ବୟନଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରୋକିବା ପାଇଁ କିଛି ପଦକ୍ଷେପକୁ ଆପଣେଇବା ପାଇଁ ୟୁଏନଇପି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେଗୁଡ଼ିକ ହେଲା 

୧. ଶିଳ୍ପଗୁଡ଼ିକ ପରିବେଶ ଉପଯୋଗୀ ପୋଷାକ ଉତ୍ପାଦନ କରନ୍ତୁ

ବର୍ତ୍ତମାନ ଫ୍ୟାଶନ୍ ‘ୟୁଜ ଆଣ୍ଡ ଥ୍ରୋ’ ମଡେଲରେ ଚାଲିଛି। ବୟନଶିଳ୍ପ ଗୁଡ଼ିକରେ ମଧ୍ୟ ପୋଷାକ ଶସ୍ତା ଏବଂ ଶୀଘ୍ର ତିଆରି ହେବା ଲକ୍ଷ୍ୟରେ ଉନ୍ନତ ଗୁଣବତ୍ତାମାନର ଉତ୍ପାଦନ କରାଯାଉନାହିଁ। ଫଳରେ ଏହି ପୋଷାକ ଅଧିକ ଦିନ ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଏହା ଅଦରକାରୀ ହେବା ସହ ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି।

ତେଣୁ ଶିଳ୍ପଗୁଡ଼ିକ ଅଧିକ ପୋଷାକ ଉତ୍ପାଦନ କରିବା ପରିବର୍ତ୍ତେ, ଉନ୍ନତ ଗୁଣବତ୍ତାର ପୋଷାକ ଉତ୍ପାଦନ କରିବା ଉଚିତ। ଯାହା ସହଜରେ ରିସାଇକେଲ ହୋଇପାରିବ।

୨. ପୋଷାକ ରିସାଇକେଲିଂକୁ ପ୍ରୋତ୍ସାହିତ କରିବା

ବେସରକାରୀ ସଂଗଠନ ଟେକ୍ସଟାଇଲ୍ ଏକ୍ସଚେଞ୍ଜ ଅନୁଯାୟୀ, ବର୍ତ୍ତମାନ କେବଳ ୧ ପ୍ରତିଶତ ପୁରୁଣା ପୋଷାକ ରିସାଇକେଲ ହେଉଛି। ଏହାର ଅର୍ଥ ହେଉଛି ଆମେ ଆମର ପୁରୁଣା ପୋଷାକକୁ ସଠିକ୍ ଭାବରେ ବ୍ୟବହାର କରୁନାହାନ୍ତି।

ପୁରୁଣା ପୋଷାକକୁ ରିସାଇକେଲ କରିବା ପାଇଁ, ପୌରନିଗମଗୁଡ଼ିକ ଲୋକଙ୍କ ଠାରୁ ପୁରୁଣା ପୋଷାକ ସଂଗ୍ରହ କରିବା ଆବଶ୍ୟକ। ଏହାସହ ଶିଳ୍ପଗୁଡ଼ିକ ମଧ୍ୟ ଏହାକୁ ବ୍ୟବହାର କରି ନୂତନ ପୋଷାକ ଉତ୍ପାଦନ କରିବା ଆବଶ୍ୟକ।

୩. ପୋଷାକ ଉତ୍ପାଦନରେ କ୍ଷତିକାରକ ରାସାୟନିକ ପଦାର୍ଥର ବ୍ୟବହାର କରନ୍ତୁ ନାହିଁ

ଏକ ରିପୋର୍ଟ ଅନୁଯାୟୀ, ପୋଷାକ ଉତ୍ପାଦନରେ ୧୫ ହଜାରରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ। ଏଥିମଧ୍ୟରୁ ଅନେକ ରାସାୟନିକ ପଦାର୍ଥଗୁଡ଼ିକ ମଣିଷ, ପ୍ରାଣୀ ଏବଂ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ।

ସରକାର ଏପରି ରାସାୟନିକ ପଦାର୍ଥ ଉପରେ କଠୋର କଟକଣା ଲାଗୁ କରିବା ଆବଶ୍ୟକ। ଫଳରେ ଶିଳ୍ପଗୁଡ଼ିକ ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ପଦାର୍ଥରୁ ପ୍ରସ୍ତୁତ ପୋଷାକ ଉତ୍ପାଦନ କରିବେ।

୪. ନୂଆ ପୋଷାକ ଭଲ ପୋଷାକ- ଏହି ମାନସିକତାକୁ ପରିବର୍ତ୍ତନ କରନ୍ତୁ

ବର୍ତ୍ତମାନ ସମୟରେ ଶିଳ୍ପଗୁଡ଼ିକ ପ୍ରତି ମାସରେ ନୂଆ ଡିଜାଇନ ମାଧ୍ୟମରେ ଗ୍ରାହକଙ୍କୁ ଆବଶ୍ୟକତାରୁ ଅଧିକ ପୋଷାକ କିଣିବାକୁ ଉତ୍ସାହିତ କରୁଛନ୍ତି। ଏଲେନ୍ ମ୍ୟାକଆର୍ଥର୍ ଫାଉଣ୍ଡେସନ୍ ଅନୁସାରେ, ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ସାରା ବିଶ୍ଵରେ ପୋଷାକ ଉତ୍ପାଦନ ଦ୍ୱିଗୁଣିତ ହୋଇଥିଲା, କିନ୍ତୁ ପୋଷାକ ପିନ୍ଧିବାର ହାରାହାରି ସଂଖ୍ୟା ୩୬ ଶତକଡ଼ା ହ୍ରାସ ପାଇଥିଲା।

ତେଣୁ ଶିଳ୍ପଗୁଡ଼ିକ ଏପରି ପୋଷାକକୁ ପ୍ରୋତ୍ସାହିତ କରିବା ଉଚିତ, ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ସରକାର ମଧ୍ୟ କମ୍ପାନୀଗୁଡ଼ିକୁ ସେମାନଙ୍କର ଉତ୍ପାଦିତ ପୋଷାକ ପରିବେଶ ଉପରେ କିଭଳି ପ୍ରଭାବ ପକାଉଛି, ତାହା ଉପରେ ଏକ ରିପୋର୍ଟ ପ୍ରକାଶ କରିବାପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ। ସୋସିଆଲ ମିଡିଆ ଏବଂ ବିଜ୍ଞାପନରେ ପ୍ରକାଶ ପାଉଥିବା ବାର୍ତ୍ତା ‘ନୂଆ ପୋଷାକ ଭଲ ପୋଷାକ’ ବାର୍ତ୍ତାକୁ ହ୍ରାସ କରିବା ଦରକାର।

୫. କମ୍ କିଣନ୍ତୁ, ଭଲ କିଣନ୍ତୁ

ଶିଳ୍ପ ଏବଂ ସରକାରଙ୍କ ବ୍ୟତୀତ, ଗ୍ରାହକମାନଙ୍କର ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧିକ ପୋଷାକ କିଣିବା ପରିବର୍ତ୍ତେ ପୁରୁଣା ପୋଷାକକୁ ପୁନଃବ୍ୟବହାର କରନ୍ତୁ। ଛିଣ୍ଡି ଯାଇଥିବା ପୋଷାକକୁ ସିଲାଇ କରନ୍ତୁ କିମ୍ବା ପୁନଃଡିଜାଇନ୍ କରନ୍ତୁ। ଆବଶ୍ୟକ ଥିଲେ ହିଁ ନୂତନ ପୋଷାକ କିଣନ୍ତୁ, ଏବଂ ଭଲ ଗୁଣବତ୍ତାର ପୋଷାକ ବ୍ୟବହାର କରନ୍ତୁ।

Tags: #ZeroWasteDay #UNEP #ReduceWaste #FashionIndustry

LEAVE A REPLY

Please enter your comment!
Please enter your name here