ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାଠାରେ ଆୟୋଜିତ ହୋଇଛି ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ବଳାଙ୍ଗୀ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଜମୁଛି ପାରମ୍ପରିକ ନୃତ୍ୟ ଗୀତର ଆସର।
ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାମ୍ବାଦିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ବିଶ୍ୱାଳ, ସମାଜସେବୀ ରଜତ କୁମାର ପଣ୍ଡା, ସୁନିତା ଘିବେଲା, ମହୋତ୍ସବ କମିଟିର ଅଧ୍ୟକ୍ଷ ଆଇନଜୀବୀ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ସମାଜସେବୀ ରଜତ କୁମାର ପଣ୍ଡା, ସୁନିତା ଘିବେଲା, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଦଶରଥ ମହାନ୍ତ, ସାମ୍ବାଦିକ ବିନ୍ଦୁସାର ଦାଶ, ସରୋଜ ବେହେରା, ସୌରଭ ମୋଦୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ବଳାଙ୍ଗୀ ଟ୍ୟାଲେଣ୍ଟ ନୃତ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ପରେ ମୟୁରଭଞ୍ଜର ପ୍ରସିଦ୍ଧ ଲୋକକଳା ଝୁମର ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଝୁମୁରା ନୃତ୍ୟର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ। ଶିକ୍ଷକ ଡକ୍ଟର ଶଶିଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ଦିଲ୍ଲୀପ ପାତ୍ର, ବଳରାମ ବେହେରା ପ୍ରମୁଖ କଳାକାରମାନଙ୍କୁ ସମ୍ମାନିତ କରିଥିଲେ।
Tags: #BalangiFestival #Culture #Tradition #Mayurbhanj #Baripada