ଓଡ଼ିଶାଲାଇଭ୍ ବ୍ୟୁରୋ

ଏଯାଏଁ ସରିନି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଏପ୍ରିଲ ୨୯ରୁ ଆସନ୍ତା ଜୁନ ୨୭ ତାରିଖ ଯାଏଁ ପୁଣି ମରାମତି କାମ ବନ୍ଦ ରହିବ। ଜୁନ ୨୮ ତାରିଖରୁ ମରାମତି କାମ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ତରବରିଆ ଭାବେ ରତ୍ନଭଣ୍ଡାର ମରାମତି କରାଯିବ ନାହିଁ। ଆଗକୁ ଅକ୍ଷୟ ତୃତୀୟା, ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ବଡ଼ଠାକୁରଙ୍କ ବିଶେଷ ନୀତି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୯ରୁ ଜୁନ ୨୭ ତାରିଖ ଯାଏଁ ମରାମତି କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।
ଗତ ୨୦୨୪ ଡିସେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଜିପିଆର ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। ତିନି ମାସ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ତେବେ ବିଭିନ୍ନ କାରଣ ପାଇଁ ବାରମ୍ବାର ନିର୍ମାଣ କାମ ବନ୍ଦ ରଖାଯାଉଛି।
Tags: #ShreeMandir #RatnaBhandar #RepairWork #ASI #Puri #Odisha















